ଜଳପ୍ରଳୟରେ ଗଲାଣି ୯୧ ଜୀବନ !

ଜଳପ୍ରଳୟର ମହାତାଣ୍ଡବ! ଉତ୍ତରଭାରତରେ ଏବେ ଖାଲି ହା ହା କାର । ବନ୍ୟା ସୁଅର ଆଁରେ ଯେ ଗଲାଣି କେତେ କୋଠାବାଡି , ଧନସମ୍ପତ୍ତି ତାର ହିସାବ ଏବେ କାହା ପାଖରେ ନାହିଁ। ଭାସୁଛି ଉତ୍ତର ଭାରତ। କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ କଶ୍ମୀର ସ୍ଥିତି ଗମ୍ଭୀର ରହିଛି। ଏକାଧିକ ନଦୀ ଏବେବି ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା ।

ଏବେ ବି ଜଳବନ୍ଦୀ ଅନେକ ଜୀବନ । କେବଳ ହିମାଚଳରେ ବର୍ଷା ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇତିମଧ୍ୟରେ ଆଇଏମ୍ଡି ଆକଳନ ଅନୁଯାୟୀ ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି।

ଅନ୍ୟପକ୍ଷରେ ବନ୍ୟା ଆଁରେ ପଞ୍ଜାବ । ସତଲେଜ୍ ନଦୀରୁ ପାଣି ଛଡ଼ାଯିବା ପରେ ଫାଜିଲ୍କାରେ ଆଲର୍ଟ ଜାରି ହୋଇଛି । ସେପଟେ ଯମୁନା ଓ ଗଙ୍ଗାରେ ବଢ଼ିବ ଜଳସ୍ତର । ୟୁପି, ଆଗ୍ରା ଓ ପ୍ରୟାଗରାଜକୁ ବନ୍ୟା ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ପ୍ରାୟ ପର୍ଯ୍ୟଟକ ଫସିଛନ୍ତି । ଚନ୍ଦ୍ରତାଲ ଲେକ୍ ନିକଟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ IAF ହେଲିକପ୍ଟର ଆବଶ୍ୟକ ଥିଲା । ୩ ଶହ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି । ହେଲେ ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍ ସର୍ଭେ କରିଛନ୍ତି।

ଉଦ୍ଧାର କାର୍ଯ୍ୟରେ ୬ ହେଲିକପ୍ଟର ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହିମାଚଳର ସୋଲନ, ସିମଲା, ସିରମୌର, କୁଲ୍ଲୁ, ମଣ୍ଡି, ଲାହୌଲରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ଉନା, ହମିରପୁର, କାଙ୍ଗ୍ରା ଏବଂ ଚାମ୍ବାରେ ଅରେଂଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ୧୨ ପ୍ରମୁଖ ବ୍ରିଜ୍ ଭାଙ୍ଗି ଯାଇଥିବା ବେଳେ ୧୨୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରହିଛି। ତେବେ ଜଳପ୍ରଳୟର ସେଇ ଛତିଥରା ଦ୍ରୁଶ୍ଯ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ ହିଁ ତାର ଭୟାବହତାକୁ ବିଶ୍ଳେଷଣ କରିପାରିବେ ।