ନାନ୍ଦେଡ ହସ୍ପିଟାଲରେ ଏଯାଏଁ ଗଲାଣି ୩୧ ଜୀବନ

ନାନ୍ଦେଡ ହସ୍ପିଟାଲରେ ସରୁନି ଯମର ଅତ୍ୟାଚାର

ମହାରାଷ୍ଟ୍ର ନାନ୍ଦେଡ ହସ୍ପିଟାଲରେ ମୃତ୍ୟୁର ତାଣ୍ଡବ । ଏଯାଏଁ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି । ଆଜି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି । ନାନ୍ଦେଡର ସରକାରୀ ହସ୍ପିଟାଲରେ ଗତ ୪୮ ଘଣ୍ଟା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୩୧ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୋମବାର ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି । ମୋଟ ୩୧ ମୃତକଙ୍କ ମଧ୍ୟରୁ ୧୬ ଜଣ ନବଜାତ ଏବଂ ଶିଶୁ ରହିଛନ୍ତି । ମେଡିକାଲରେ ଏବେବି ୭୧ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମେଡିକାଲ ଡିନ ଏହି ସୂଚନା ଦେଇଛନ୍ତି । ହସ୍ପିଟାଲରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ହସ୍ପିଟାଲରେ ୫୦୦ ଲୋକଙ୍କ ଲାଗି କ୍ଷମତା ଥିବାବେଳେ ୧୨ ଶହରୁ ଅଧିକ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ରୋଗୀଙ୍କ ଚିକିତ୍ସା ନିମନ୍ତେ ଔଷଧ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ନଥିଲା ବୋଲି ଅଭିଯୋଗ ହୋଇଛି । ସେପଟେ ହସ୍ପିଟାଲରେ ଚିକିତ୍ସାରେ ଅବହେଳାକୁ ଅସ୍ବୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ହସ୍ପିଟାଲରେ କୌଣସି ଡାକ୍ତର, ଷ୍ଟାଫ୍ ଏବଂ ଔଷଧର ଅଭାବ ନାହିଁ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ହସନ ମୁଶରିଫ୍ । ଯେ କେହି ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ।