ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟା

ବନ୍ୟାରେ ଭାସିଯାଇ ୧୨୦ରୁ ଅଧିକ ନିଖୋଜ

ସିକ୍କିମରେ ପ୍ରବଳ ବର୍ଷା । ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି କରିଛି । ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ । ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦ଟି ମୃତଦେହ ଉଦ୍ଧାର ହୋଇଛି । ସେଥିରୁ ୭ଜଣ ଯବାନ ରହିଛନ୍ତି । ଏବେ ବି ୧୦୦ଜଣ ନିଖୋଜ୍ ଥିବା କୁହାଯାଉଛି । ସିକ୍କିମର ବିଭିନ୍ନ ଅଞ୍ଚଳରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୦୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ଏହି ବିପର୍ଯ୍ୟୟ ୨୨,୦୩୪ ଲୋକଙ୍କୁ ପ୍ରଭାବିତ କରିଛି । ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୬ଟି ରିଲିଫ୍‌ ଶିବିର ପ୍ରତିଷ୍ଠା କରିଛନ୍ତି । ଗ୍ୟାଙ୍ଗଟକ୍‌ ଜିଲ୍ଲାର ୮ଟି ରିଲିଫ୍‌ ଶିବିରରେ ମୋଟ୍‌ ୧୦୨୫ ଜଣ ଆଶ୍ରୟ ନେଇଛନ୍ତି । ସିକ୍କିମରେ ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ସିକ୍କିମର ଲୋନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ଏହା ଫୁଲି ଉଠିଥିଲା ଏବଂ ତିସ୍ତା ନଦୀରେ ଜଳସ୍ତର ଭୟାନକ ଭାବେ ବୃଦ୍ଧି ପାଇଥିଲା । ସେନାର ପୂର୍ବ କମାଣ୍ଡ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଚୁଙ୍ଗତଙ୍ଗ ଡ୍ୟାମ୍‌ରୁ ସେହି ସମୟରେ ପାଣି ଛଡ଼ାଯିବାରୁ ଜଳସ୍ତର ହଠାତ୍‌ ୧୫-୨୦ ଫୁଟ୍‌ ଉଚ୍ଚତାକୁ ବୃଦ୍ଧି ପାଇଥିଲା। ଏହା ଫଳରେ ସିଙ୍ଗତମ ନିକଟସ୍ଥ ବାରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡ଼ି ଭାସି ଯାଇଥିଲା। ଫଳରେ ୨୩ ଯବାନ ନିଖୋଜ ‌ହୋଇଯାଇଥିଲେ । ଏହା ସହିତ ଶତାଧିକ ସ୍ଥାନୀୟ ବାସିନ୍ଦା ଭାସିଯାଇଥିଲେ ।