ପୁଣି ଉପର ମୁହାଁ କୋଭିଡ ମିଟର, ଦିନକରେ ୩୫୮ ପଜିଟିଭ
ପୁଣି ଦେଶରେ କାୟା ମେଲାଉଛି କରୋନା । କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ବୁଲେଟିନ୍ରୁ ସୂଚନା ମିଳିଛି । ସେହିପରି, ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫,୩୩,୩୨୭ରେ ପହଞ୍ଚିଛି। ଡିସେମ୍ବର ୧୯ରେ ଏହି ମୃତ୍ୟୁସଂଖ୍ୟା ଥିଲା ୫, ୩୩,୩୨୧ । ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ନୂଆଦିଲ୍ଲୀ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡ୍ଡୁଚେରୀ, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନାରେ ନୂଆ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୦୦୦ ଥିବାରୁ କେରଳର ପରିସ୍ଥିତି ଚିନ୍ତାଜନକ ରହିଛି।