ମାଲେଗାଓଁ ବିସ୍ଫୋରଣ ମାମଲା: ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ପ୍ରକାଶ ପାଇଛି ରାୟ । ଦୀର୍ଘ ୧୭ ବର୍ଷ ପରେ କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲାରେ ଜଡିତ ସ୍ବାଧୀ ପ୍ରଜ୍ଞା ଠାକୁର ଏବଂ ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସହିତ ୭ ଜଣ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଛି । ଆତଙ୍କବାଦୀ ବିରୋଧୀ ଆଇନ ଓ ଅସ୍ତ୍ରଶସ୍ତ୍ର ଆଇନ ଏବଂ ଅନ୍ୟାନ୍ୟ ଅଭିଯୋଗରୁ ଦୋଷମୁକ୍ତ । ଏହାସହିତ କୋର୍ଟ ମାଲେଗାଓଁ ବିସ୍ଫୋରଣରେ ପୀଡିତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ମଧ୍ୟ ଦେବାକୁ କୁହାଯାଇଛି ।୨୦୦୮ ସେପ୍ଟେମ୍ବର ୨୯ରେ ରମଜାନ ବେଳେ ମହାରାଷ୍ଟ୍ର ନାସିକଠାରୁ ୧୦୦ କିଲୋମିଟର ଦୂର ତଥା ପାଓ୍ବାରଲୁମ ଶିଳ୍ପବହୁଳ ମାଲେଗାଓଁରେ ଘଟିଥିଲା ବୋମା ବିସ୍ଫୋରଣ । ମୁସଲିମ ବହୁଳ ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୬ ଜଣ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏକ ବାଇକରେ ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣ ଘଟିଥିଲା । ଗାଡିରେ ଲାଗିଥିବା ନମ୍ବର ପ୍ଲେଟ MH-15-P-4572 ଫେକ୍ ଥିଲା ।
ତେବେ ଏହି ଗାଡିର ମାଲିକ ପ୍ରଜ୍ଞା ସିଂ ଠାକୁର ଓରଫ ସାଧ୍ବୀ ପୂର୍ଣ୍ଣଚେତନାନ୍ଦ ଗିରିଙ୍କ ମାଲିକାନାରେ ଏହି ଗାଡ଼ି ଥିଲା । ଏହାର ତଦନ୍ତ କରୁଥିଲା ମହାରାଷ୍ଟ୍ର ଏଟିଏସ । ରମଜାନ ଓ ନବରାତ୍ରୀକୁ ଦୃଷ୍ଟିରେ ରଖିବା ସହ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।୨୦୦୮ ଅକ୍ଟୋବର ୨୩ରେ ପ୍ରଜ୍ଞାଙ୍କୁ ଗିରଫ କରିଥିଲା ଏଟିଏସ । ଏହି ଘଟଣାରେ କର୍ଣ୍ଣେଲ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ନଭେମ୍ବର ୨୦୦୮ ରେ ସେମାନଙ୍କ ବିରୋଧରେ ମହାରାଷ୍ଟ୍ର ଅପରାଧିକ ନିୟନ୍ତ୍ରଣ ଆଇନ ବା ମକୋକା ଲାଗୁ କରାଯାଇଥିଲା । ଅଭିଯୁକ୍ତ ଥିବା ୭ ଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା, ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ଅନୁସାରେ ମାମଲା ଚାଲୁ ରହିଥିଲା ।
