କେବେ ସୁଧୁରିବ ମଣିପୁର ସ୍ଥିତି

ପୁଣି ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଅମାନବିକତାର ଶୀର୍ଷରେ ମଣିପୁରର ପରିସ୍ଥିତି । ମଣିପୁରରେ ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ରହିଛି ।  ସେମାନେ ଏକ କାର୍ ୱାସ ସେଂଟରରେ କାମ କରୁଥିଲେ । କିଛି ଦୁର୍ବୃତ୍ତ ଆକ୍ରମଣ କରି ଉଠାଇ ନେଇ ପ୍ରାୟ ଦେଢ ଘଂଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ଏହାପରେ ଅପରାଧୀମାନେ ଦୁଇ ପୀଡ଼ିତାଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହିଦିନ ଏହି ଘଟଣା ମଧ୍ୟ ଘଟିଥିଲା । ଦୁଇ ପୀଡ଼ିତାଙ୍କୁ ଅପରାଧୀମାନେ ହତ୍ୟା କରିଥିବାର ମଧ୍ୟ ସନ୍ଦେହ କରାଯାଉଛି । ହେଲେ ଏଯାଏଁ ଦୁଇ ଜଣଙ୍କ ମୃତଦେହ ମିଳିନାହିଁ । ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଏଫଆଇର ରୁଜୁ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ କିମ୍ବା ଦୁଇ ପୀଡ଼ିତାଙ୍କୁ ଠାବ କରିପାରି ନାହିଁ ।