କୋର୍ଟ ଭିତରେ ଆଖିବୁଜା ଗୁଳିକାଣ୍ଡ

ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହତ୍ୟା ଉଦ୍ୟମ,

ବିହାରର ସମସ୍ତିପୁରରେ ଥିବା ଗୋଟିଏ କୋର୍ଟ ଭିତରେ ଚାଲିଛି ଗୁଳି । ୪ ଜଣ ଦୁର୍ବୃତ୍ତ କୋର୍ଟ ଶୁଣାଣି ବେଳେ ଆଖିବୁଜା ଗୁଳି ମାଡ଼ କରିଛନ୍ତି । ସେମାନେ ବେଆଇନ ମଦ କାରବାର ଘଟଣାରେ ଗିରଫ ପ୍ରଭାବ ଚୌଧୁରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ମାଡ଼ କରିଥିଲେ । ପ୍ରଭାତ ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି । ଏହି ଘଟଣାରେ ପ୍ରଭାତଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଘଟଣା ପରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ସ୍ଥାନୀୟ ଏସ୍‌ପି ବିନୟ ତିୱାରୀ ଗୁଳିମାଡ଼ର ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ପ୍ରଭାତ ଜଣେ ମଦ ମାଫିଆ। ସେ ପୂର୍ବରୁ ବି ଗିରଫ ହୋଇ ଜେଲ ଯାଇଥିଲା। ପୂର୍ବରୁ ପ୍ରଭାତ ସହ କାମ କରୁଥିବା କିଛି ଲୋକ ନିକଟରେ ତା’ ଠାରୁ ଅଲଗା ହୋଇ ଯାଇଥିଲେ। ସେମାନେ ମଧ୍ୟ ବେଆଇନ ମଦ କାରବାର କରୁଛନ୍ତି। ତେଣୁ ସେମାନେ ହିଁ ଏପରି ଗୁଳି କରିଥିବା ଆଶଙ୍କା କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।