ଚନ୍ଦ୍ରଯାନ-3ରେ କ’ଣ ନୂଆ
ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବା । ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବ। ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍ଲ ଏମ୍୩/ଏମ୍୪କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଲଞ୍ଚପ୍ୟାଡ୍କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଏଲ୍ଭି ଏମ୍୩-ଏମ୍୪/ଚନ୍ଦ୍ରଯାନ-୩ ମିସନର ଉତ୍କ୍ଷେପଣ ନେଇ ସମୟ ଘୋଷଣା କରିସାରିଛି। ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ଅଭିଯାନ, ଯାହା ଏହାର ଲ୍ୟାଣ୍ଡର୍ ଓ ରୋଭର୍ ବ୍ୟବହାର କରି ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ର ପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ଲ୍ୟାଣ୍ଡର୍ ଓ ରୋଭର୍ ୧୦୦ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରୋପଲସନ୍ ମଡ୍ୟୁଲ୍ ଦ୍ୱାରା ଗତି କରିବ। ଚନ୍ଦ୍ରର କକ୍ଷପଥରୁ ପୃଥିବୀର ସ୍ପେକ୍ଟ୍ରାଲ୍ ଓ ପୋଲାରିମେଟ୍ରିକ୍ ତଥ୍ୟ ପରୀକ୍ଷା କରିବା ପାଇଁ ପ୍ରୋପଲସନ୍ ମଡ୍ୟୁଲ୍ ସ୍ପେକ୍ଟ୍ରୋ-ପୋଲାରାଇମେଟ୍ରି ଅଫ୍ ହାବିଟେବଲ୍ ପ୍ଲାନେଟ୍ ଆର୍ଥ (ସେପ୍) ପେଲୋଡ୍ ସହିତ ସଜ୍ଜିତ। ଏହି ପ୍ରକଳ୍ପର ଆନୁମାନିକ ବଜେଟ୍ ୬୧୫ କୋଟି ଟଙ୍କା ରହିଛି। ଗତକାଲି ଚନ୍ଦ୍ରଯାନ-୩ର ଏନ୍କ୍ୟାପ୍ସୁଲେଟେଡ୍ ଆସେମ୍ବଲି ଏଲ୍ଭିଏମ୍୩ ସହିତ ଯୋଡି ହୋଇଥିଲା।