ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ର ଚିରିଦେଲେ ସମର୍ଥକ

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନୂଆ ଚିତ୍ର । ତାଙ୍କ ଇସ୍ତଫା ପତ୍ର ଚିରିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ଘର ବାହାରେ ମହିଳା ଓ ସମର୍ଥକଙ୍କ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା। ସେମାନେ ସିଏମ୍‌ ବୀରେନ୍‌ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ବିରାଟ ମାନବ ଶୃଙ୍ଖଳ କରିଥିଲେ ଓ ଇସ୍ତଫାକୁ ବିରୋଧ କରିଥିଲେ। ଯାହା ପରେ ମନ ବଦଳାଇ ସିଏମ୍‌ ଏନ୍‌ ବୀରେନ୍‌ ସିଂହ ଇସ୍ତଫା ଦେବାକୁ ଆଉ ଯାଇନଥିଲେ। ତାଙ୍କ ଘରୁ ମଣିପୁରର ଦୁଇଜଣ ମନ୍ତ୍ରୀ ବାହାରିଥିଲେ। ସେମାନଙ୍କ ହାତରେ ସିଏମ୍‌ ଏନ୍‌ ବୀରେନ୍‌ ସିଂହଙ୍କ ଇସ୍ତଫା ପତ୍ର ଥିଲା। ଯାହାକୁ ମହିଳାମାନେ ଛଡ଼ାଇ ନେଇ ଚିରି ଟିକ୍‌ଟିକ୍ କରିଦେଇଥିବା ଜଣାପଡ଼ିଛି। ସେପଟେ ସେ ଇସ୍ତଫା ଦେବେ ନାହିଁ ବୋଲି ଟ୍ୱିଟ କରି ଲେଖିଛନ୍ତି ଏନ୍‌ ବୀରେନ୍ ସିଂହ।