ବିଜେପିରେ ବଡ ପରିବର୍ତ୍ତନ

୪ ରାଜ୍ୟରେ ବଦଳିଲେ ସଭାପତି

୨୦୨୪ରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ୪ ରାଜ୍ୟର ସଭାପତି ବଦଳିଛନ୍ତି । ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ, ଆନ୍ଧ୍ରରେ ଡି ପୁରନ୍ଦେଶ୍ୱରୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଛି । ବିଜେପି ଏବେଠାରୁ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ତିନିଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲେ । ସେଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହାର ଦୁଇଦିନ ପରେ ଅର୍ଥାତ୍ ସୋମବାରଦିନ ପ୍ରଗତି ମୈଦାନରେ କେନ୍ଦ୍ର କ୍ୟାବିନେଟର ଏକ ଲମ୍ବା ବୈଠକ ବସିଥିଲା । ମଙ୍ଗଳବାର ଯେଉଁ ସବୁ ରାଜ୍ୟର ସଭାପତି ବଦଳାଯାଇଛି ସେଗୁଡ଼ିକ ମଧ୍ୟରୁ କେବଳ ଝାଡ଼ଖଣ୍ଡକୁ ଛାଡ଼ିଦେଲେ ଅନ୍ୟ ୩ଟିରେ ବିଜେପି ସ୍ଥିତି ସେପରି ଭଲ ନାହିଁ । କିନ୍ତୁ ଏସବୁ ରାଜ୍ୟରୁ ୨୦୨୪ରେ ବେଶ କେତୋଟି ଆସନ ଆଣିବାକୁ ବିଜେପି ଟାର୍ଗେଟ୍ କରିଛି । ସେଥିପାଇଁ ଏବେଠାରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି ଝାରଖଣ୍ଡରେ ବିଜେପିର ଏବେ ୧୧ ଜଣ ସାଂସଦ ଅଛନ୍ତି । ଏଣୁ ଏହି ସଫଳତା ବଜାୟ ରଖିବାକୁ ବିଜେପି ଉଦ୍ୟମ କରୁଛି ।