ପାହାଡ ଉପରରୁ ତଳକୁ ଖସିଲା ଜିପ୍

ଉତ୍ତରାଖଣ୍ଡର ପିଥୈରାଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁନସ୍ୟାରୀର ହୋକରା ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଜିପ୍ ରାସ୍ତା ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ଜଣ ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି । କୁହାଯାଉଛି କି ଜିପ୍ ଟି ରାସ୍ତା ଉପରୁ ୬୦୦ ଫୁଟ୍ ତଳକୁ ଖସିପଡିଛି । ସୂଚନା ମୁତାବକ ଶ୍ରଦ୍ଧାଳୁମାନେ ବାଗେଶ୍ୱର ଶାମାରୁ ହୋକରା ମନ୍ଦିର ପରିଦର୍ଶନରେ ଯାଉଥିଲେ । ରାସ୍ତାରେ ଜିପଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକମାନେ ଏକାଠି ହୋଇ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ପୋଲିସକୁ ଖବର ଦେଇଥିଲେ । ସେପଟେ ପୋଲିସ ସୂଚନା ଅନୁସାରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ ପାରେ ।