ଉଗ୍ର ହେଉଛି ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା। ଏଯାବତ ଗଲାଣି ୬ଜୀବନ। ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ତେବେ ଜୁନ୍ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରଠୁ ଜଳୁଛି ପଶ୍ଚିମବଙ୍ଗ । ଗତ ରାତିକ ମଧ୍ୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କ ହତ୍ୟା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଟିଏମସି କର୍ମୀ ଓ ଜଣେ ବିଜେପି କର୍ମୀ ବୋଲି ଜଣାଯାଇଛି।
ଭୋଟଗ୍ରହଣର ୨୪ ଘଣ୍ଟା ଭିତରେ ବେଶି ଅଶାନ୍ତ ହୋଇ ଉଠିଛି ପଶ୍ଚିମବଙ୍ଗ। ମୁର୍ଶିଦାବାଦ ଅଞ୍ଚଳରେ ୩ ଜଣଙ୍କୁ ଓ କୁଚବିହାର ଅଞ୍ଚଳରେ ଜଣଙ୍କୁ ହତ୍ୟା କରାଯାଇଛି। ସେପଟେ ଖାରଗ୍ରାମରେ ଗତ ରାତିରେ ଜଣେ ଟିଏମ୍ସି କର୍ମକର୍ତ୍ତାଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ଗତରାତିରେ ରେଜିନଗରରେ ବମ ବିସ୍ଫୋରଣରେ ଜଣେ ଟିଏମ୍ସି କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ ଏହାସହ କୁଚବିହାରର ଫୋଲିମାରି ଅଞ୍ଚଳରେ ଜଣେ ବିଜେପି ପୁଲିଂ ଏଜେଣ୍ଟଙ୍କୁ ଆଜି ସକାଳେ ଗୁଳି ମାରି ହତ୍ୟା କରାଯାଇଛି।
ତେବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ୧.୩୫ ଲକ୍ଷ ଯବାନଙ୍କୁ ମୁତୟନ କରାଯାଉଛି। କିନ୍ତୁ ଏହାସତ୍ତ୍ୱେ ରାଜ୍ୟରେ ହିଂସା ଥମିବା ନାଁ ଧରୁନି।ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପୁଲିଂ ବୁଥରେ ନିଆଁ ଲଗାଯିବା ସହ ବାଲାଟ ପେପର ଲୁଟ୍ ହେବା ପରି ଘଟଣା ସାମନାକୁ ଆସିଛି। ତେବେ ବର୍ତ୍ତମାନ ସୁଧା କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନଥିଲେ ସୁଦ୍ଧା ଏ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ଖେଳାଇଛି।
