କେଜ୍ରିଓ୍ବାଲଙ୍କୁ ମାକେନ୍ ଙ୍କ ଟାର୍ଗେଟ୍

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ କରୁଥିବା ଯୋଜନାରେ ଭଟା । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ହେଉଛି। ଦୁଇ ଦଳ ପରସ୍ପରକୁ ଆକ୍ଷେପ କରୁଥିବା ବେଳେ ଏବେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି। ସେ ସିଧାସଳଖ ଅରବିନ୍ଦ କେଜ୍ରିୱାଲ ଓ ଆପ୍‌କୁ ଟାର୍ଗେଟ କରିଛନ୍ତି। ଆପ୍‌ର ସମ୍ପର୍କ ବିଜେପି ସହ ରହିଥିବା ସେ ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ପାଟନାରେ ଆୟୋଜିତ ବିରୋଧୀଙ୍କ ମହା ବୈଠକରେ ଉଭୟ ଆପ୍‌ ଓ କଂଗ୍ରେସ ଯୋଗ ଦେଇଥିଲେ। ଏହି ବୈଠକରେ ମଧ୍ୟ ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା। ଆପ୍‌ ସିଧାସଳଖ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲା। କଂଗ୍ରେସ ଥିବା ମେଣ୍ଟରେ ଯୋଗ ଦେବା ଆପ୍‌ ପାଇଁ କଷ୍ଟକର ବୋଲି ମଧ୍ୟ ଦଳ କହିଥିଲା। ଏବେ ଅଜୟ ମାକେନ ଗୋଟିଏ ଭିଡିଓ ବାର୍ତ୍ତା ଦ୍ୱାରା ଆପ୍‌ ଓ ଏହାର ସୁପ୍ରିମୋ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୋଟି ପଟେ ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ସମର୍ଥନ ମାଗୁଛନ୍ତି। ଅନ୍ୟପଟେ ସେ ରାଜସ୍ଥାନ ଯାଇ ଆମର ସବୁଠାରୁ ବରିଷ୍ଠ, ୩ଥରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ମତ ରଖୁଛନ୍ତି। ସଚିନ ପାଇଲଟଙ୍କୁ ମଧ୍ୟରେ ସମାଲୋଚନା କରିବାକୁ ପଛାଇ ନାହାନ୍ତି।