
ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ଏବେ ଆଉ ଖରାରେ ସିଝି କିମ୍ବା ଝାଳରେ ଚଳାଇବାକୁ ପଡିବନି ଗାଡି । ୨୦୨୫ରୁ ସମସ୍ତ ଟ୍ରକର କ୍ୟାବିନ୍ ଶୀତତାପ ନିୟନ୍ତ୍ରିତ ହେବା ବାଧ୍ୟତାମୂଳକ । ଏହା ଫଳରେ ପ୍ରବଳ ଖରାରେ ଗାଡ଼ି ଚଳାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ଆଶ୍ବସ୍ତି ମିଳିବ । ଦୀର୍ଘ ଦିନ ଧରି ଏହାର ଆବଶ୍ୟକତା ଅନୁଭବ କରାଯାଉଥିଲା। କଠିନ କାର୍ଯ୍ୟ ଅବସ୍ଥା ଏବଂ ରାସ୍ତାରେ ଦୀର୍ଘ ସମୟ ଡ୍ରାଇଭରଙ୍କ ଥକାପଣ ଏବଂ ଦୁର୍ଘଟଣା ପାଇଁ ଦାୟୀ ବୋଲି ବିବେଚନା କରାଯାଏ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ରକ୍ ଡ୍ରାଇଭରଙ୍କ ପାଇଁ ଏସି କେବିନ୍ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୧୬ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ରଖିଥିଲା। ଗଡ଼କରୀ କହିଛନ୍ତି ଯେ ଅନ୍ୟ ଦେଶରେ ଟ୍ରକ ଡ୍ରାଇଭର ପାଇଁ ନିର୍ଦ୍ଦିଷ୍ଟ ଡ୍ୟୁଟି ସମୟ ରହିଛି । କିନ୍ତୁ ଆମ ଦେଶରେ ସେମାନେ ଅତ୍ୟନ୍ତ ଗରମ ପରିବେଶରେ ଅଧିକ ସମୟ ଧରି ଗାଡ଼ି ଚଳାନ୍ତି । ଏଣୁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
