ବିଜେଡି ଯିବ, ବିଜେପି ଆସିବ

ଓଡ଼ିଶାର ପୁଅ କିମ୍ବା ଝିଅ ହେବେ ବିଜେପିର ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ପରେ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ । ଓଡ଼ିଶାରେ ପ୍ରଥମ କରି ଗଢାହେବ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ ଓଡ଼ିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡ଼ିଶାର ପୁଅ କିମ୍ବା ଓଡ଼ିଶାର ଝିଅ ମୁଖ୍ୟମନ୍ତ୍ରୀ ହେବ, କେହି ବାହାର ଲୋକ ହେବନି । ଯିଏ ଓଡ଼ିଶାର ମାଟିକୁ ମଥାରେ ଲଗେଇ ବୁଲିବ, ତାକୁ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବନେଇବ ବୋଲି ମୋଦୀ କହିଛନ୍ତି । ଖାଲି ସେତିକି ନୁହେଁ, ଯିଏ ଏଠାକାର ସମସ୍ୟା ଜାଣିଛି, ସମାଧାନ ଜାଣିଛି । ଯିଏ ଲୋକଙ୍କ ସହ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ । ଏ ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ଏଥର ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର । ଓଡ଼ିଶାର ବିକାଶକୁ ଏହା ନୂଆ ଗତି ଦେବ । ଏଠାକୁ ପ୍ରଗତି ଆସିବ । ତେଣୁ ଏଥର ଲୋକସଭାର ସମସ୍ତ ୨୧ ସିଟରେ ପଦ୍ମ ଫୁଟିବ ଏବଂ ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ । ଯାହାଫଳରେ ଓଡ଼ିଶାକୁ ନୂଆ ଉର୍ଜା ମିଳିବା ସହିତ ନୂଆ ନେତୃତ୍ୱ ମିଳିବ । ଜୁନ୍ ୪ ତାରିଖ ବିଜେଡି ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ । ମୁଁ ଆଜି ସମସ୍ତଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଛନ୍ତି ମୋଦୀ ।