ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ

କାଲି ଓଡ଼ିଶା ଆସିବେ ମୋଦି, ୧୦ରେ ଭୁବନେଶ୍ୱରରେ କରିବେ ରୋଡ ଶୋ’

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ରାତି ପ୍ରାୟ ୯.୩୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ । ତା’ପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଓଡ଼ିଶାରେ ତୃତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତୃତ୍ୱମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ଆସନ୍ତା ସପ୍ତାହରେ ପୁଣି ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।

ଓଡ଼ିଶାରେ ବିଜେପି ସରକାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ଦଳ । ଆଜି ସକାଳୁ ଓଡ଼ିଶାରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଆଜି ଓ କାଲି ଓଡ଼ିଶାରେ ରହିବେ।
ସେହିଭଳି ୫ତାରିଖ ଅପରାହ୍ନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭୁବନେଶ୍ୱରରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ ସେ ଆଲୋଚନା କରିବେ । କଟକରେ ମଧ୍ୟ ନଡ୍ଡାଙ୍କ କାର୍ୟ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର।