ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା

ବିଜେଡି ଛାଡ଼ିଲେ ବିଧାୟକ, ପୂର୍ବତନ ବିଧାୟକ

ବିଜେଡିକୁ ଡବଲ୍ ଝଟ୍‌କା । ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ଗୋଟିଏ ଦିନରେ ଦଳ ଛାଡ଼ିଛନ୍ତି ଦୁଇ ନେତା। ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକ। ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଭାଗରଥୀ ଇସ୍ତଫାର କାରଣ ଦର୍ଶାଇ ନାହାନ୍ତି। ତେବେ ଆନନ୍ଦପୁରରେ ଦଳ ଏଥର ଅଭିମନ୍ୟୁ ସେଠୀକୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ଭାଗିରଥୀ। ଏହା ପୂର୍ବରୁ ୨୦୦୯ ଓ ୨୦୧୯ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।
ଏହାପୂର୍ବରୁ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଧ୍ୟ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ବିଧାୟକ ଥିବା ସୁରେନ୍ଦ୍ର ଏଥର କାକଟପୁର ପାଇଁ ବିଜେଡିର ଟିକେଟ୍ ଆଶାୟୀ ଥିଲେ। ହେଲେ ଏଠି ଦଳ ଗୃହ ରାଜ୍ୟ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉପରେ ପୁଣି ଭରସା କରିବାରୁ ଅସନ୍ତୁଷ୍ଟ ଥିବା ସୁରେନ୍ଦ୍ର ଆଜି ବିଜେଡିରୁ ଇସ୍ତଫା ଦେବା ସହ ଦଳ ତାଙ୍କ ସହ ପ୍ରତାରଣା କରିଛି ବୋଲି କହିଛନ୍ତି।