ଛତିଶଗଡ଼ରେ ବଡ଼ ମାଓ ଅପରେସନ୍

ଏନକାଉଣ୍ଟରରେ ୧୮ ମାଓବାଦୀ ନିପାତ

ଛତିଶଗଡ଼ରେ ବଡ଼ ମାଓ ଅପରେସନ୍ । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ନକ୍ସଲ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲ ସଂଗଠନର ଟପ୍‌ ନେତା ଶଙ୍କର ରାଓର ମୃତଦେହକୁ ପୁଲିସ୍‌ ଚିହ୍ନଟ କରିଛି। ତା’ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏକାଧିକ ହିଂସା ଓ ଆକ୍ରମଣ ଘଟଣାରେ ଶଙ୍କର ରାଓ ସାମିଲ ଥିଲା। ସେହିପରି ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍‌ ଷ୍ଟେସନ ନିକଟସ୍ଥ ମାଦ ଅଞ୍ଚଳରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦିନ ୧.୩୦ରୁ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ମିଳିଛି। ଏହା ମଧ୍ୟରେ ୪ଟି ଏକେ ୪୭ ରହିଛି। ଏବେ ଏନକାଉଣ୍ଟର ଚାଲିଛି ଓ ଅଧିକ ସଂଖ୍ୟକ ଫୋର୍ସ ଘଟଣାସ୍ଥଳକୁ ଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସ୍ଥାନୀୟ ଏସ୍‌ପି କଲ୍ୟାଣ ଇଲ୍ଲିସେଲା ସୂଚନା ଦେଇଛନ୍ତି।