ଯାଜପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା

ଓଭରବ୍ରିଜରୁ ତଳକୁ ଖସିଲା ବସ୍, ୫ମୃତ

ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଛକ ଅଂଚଳରେ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । ବାରବାଟୀ ଛକ ନିକଟରେ ଓଭରବ୍ରିଜରୁ ତଳକୁ ଖସିପଡ଼ିଥିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ବସଟି ପୋଲରୁ ୨୦ ଫୁଟ ତଳକୁ ଖସିପଡ଼ିଥିଲା । ପୁରୀରୁ କୋଲକାତା ଯାଉଥିଲା ବସ୍ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ୪ ଜଣ ପୁରୁଷ ଅଛନ୍ତି । ଅନ୍ୟ ୪୬ ଜଣ ଆହତଙ୍କୁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।