ଟ୍ରାକ୍ଟର ଚଲେଇଲେ, ଧାନ ରୋଇଲେ

ସବୁବେଳେ କିଛି ନା କିଛି କାର୍ଯ୍ୟକରି ଚର୍ଚାରେ ଥାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ତେବେ ଆଜି ମଧ୍ୟ ନିଜ ସେମିତି କାର୍ଯ୍ୟ ପାଇଁ ଚର୍ଚାକୁ ଆସିଛନ୍ତି ରାହୁଲ। ରାହୁଲଙ୍କ ନୂଆ ଲୁକ ତାହା ପୁଣି ଆରିଷ୍ଟୋକେଶୀ ନୁହେଁ ବରଂ ଧାନବିଲରେ ଚଷାପୁଅ ଗେଟଅପରେ। ସକାଳୁ ସକାଳୁ ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନଗଛ ଲଗାଇଛନ୍ତି ରାହୁଲ ଗାନ୍ଧି ।

ସୂଚନା ଅନୁସାରେ, ରାହୁଲ ହିମାଞ୍ଚଳ ପ୍ରଦେଶ ଯାଉଥିଲେ । ରାସ୍ତାରେ ଚାଷୀଙ୍କୁ ଧାନ କ୍ଷେତ ରୋଉଥିବାର ଦେଖି ନିଜେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ପିନ୍ଧିଥିବା ଫୁଲ୍ ପ୍ୟାଣ୍ଟ ଫୋଲ୍ଡ କରି ଚାଷ କ୍ଷେତକୁ ଓହ୍ଲାଇଥିଲେ । ନିଜେ ଧାନ ରୋଇବା ସହ ଟ୍ରାକ୍ଟର ଚଲାଇଥିଲେ । ଚାଷୀଙ୍କ ହାଲଚାଲ ପଚାରି ବୁଝିଥିଲେ । ହଠାତ୍ ରାହୁଲଙ୍କୁ ନିଜ ପାଖରେ ପାଇ ଖୁସି ହୋଇଯାଇଥିଲେ ଚାଷୀ ।

ବହୁ ଚର୍ଚ୍ଚିତ ଭାରତଯୋଡ ଯାତ୍ରା ପରେ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ରାହୁଲ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝୁଛନ୍ତି । ଏହାପୂର୍ବରୁ ୨୩ ମେ’ ରେ ରାହୁଲ ଚଣ୍ଡିଗଡ଼ ଯାଇ ଟ୍ରକରେ ଯାତ୍ରା କରିଥିଲେ । ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ସମସ୍ୟା କଥା ପଚାରି ବୁଝିଥିଲେ । ବେଙ୍ଗାଳୁରୁରେ ଜଣେ ଡେଲିଭରୀ ବୟ ସହ ବାଇକରେ ଯାଇ ତାଙ୍କ ସମସ୍ୟା ବୁଝିଥିଲେ । ଦିଲ୍ଲୀ କରୋଲ ବାଗରେ ବାଇକ ମେକାନିକଙ୍କ ସହ ନିଜେ ଗାଡି ରିପାୟାର କରିବା ସହ ସେମାନଙ୍କ କଥା ବୁଝିଥିଲେ । ଆଗାମୀ ନିର୍ବାଚନ ପାଇଁ ରାହୁଲ ରଣନୀତି ପ୍ରସ୍ତୁତ କରୁଥିବା ରାଜନୈତିକ ମହଲରେ ଚର୍ଚା କିନ୍ତୁ ଜୋ ଧରୁଛି।