ସିଜେଆଇଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି
ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ହେଉଛି ହୀନ ଉଦ୍ୟମ । ସିଜେଆଇଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟ ଓ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତି ଏହି ଚିଠି ଲେଖିଛନ୍ତି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଓ ବ୍ୟକ୍ତିଗତ ଫାଇଦା ପାଇଁ ଏଭଳି କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଚାପ ପକାଇ ନ୍ୟାୟପାଳିକା ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଉପରେ ଚିନ୍ତା ପ୍ରକଟ କରିଛନ୍ତି ଅବସରପ୍ରାପ୍ତ ୨୧ବିଚାରପତି । ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ୪ଜଣ ପୂର୍ବତନ ବିଚାରପତି ଅଛନ୍ତି। ସୁଚିନ୍ତିତ ଚାପ, ଭୁଲ ତଥ୍ୟ ଏବଂ ସାର୍ବଜନିକ ଅପମାନ ଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଚିଠିରେ ଉଲ୍ଲେଖ ଅଛି।
ଚିଠିରେ ଦର୍ଶାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଓ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଏହି ଚିଠି ଲେଖାଯାଇଛି।
