ଆକାଶରୁ ହେବ ନିଆଁ ବର୍ଷା!

୪ରୁ ୬ ଡିଗ୍ରୀ ବଢ଼ିବ ତାପମାତ୍ରା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି କଲବଲ କରିବ ଗ୍ରୀଷ୍ମ ପ୍ରବାହ। ଏବେ ଯେତିକି ଖରା ହେଉଛି, ତା’ଠାରୁ ଯଥେଷ୍ଟ ଅଧିକ ରହିବ ପାରଦ। ୨ କିମ୍ବା ୩ ନୁହେଁ, ଏକଥରେ ୬ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା। ଆକାଶରୁ ସତେ ଯେମିତି ବର୍ଷା ହେବ ନିଆଁ। ବିଶେଷ କରି ଉପକୂଳ ଓଡ଼ିଶାରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଗାମୀ ୫ ଦିନ ଯାଏ ଅସହ୍ୟ ଗରମରୁ ମିଳିବନି କୌଣସି ପ୍ରକାରର ଆଶ୍ୱସ୍ତି।ଗ୍ରୀଷ୍ମ ପ୍ରବାହକୁ ନେଇ ଏପରି କିଛି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ଗ୍ରୀଷ୍ମପ୍ରବାହ ନେଇ କାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ସେହିପରି ଆସନ୍ତା ୫ ଦିନ ଯାଏ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।କେନ୍ଦ୍ର ପକ୍ଷରୁ ଜାରି ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୯.୨, ଝାରସୁଗୁଡ଼ା ୩୮.୮, ରାଉରକେଲା ୩୭.୮ ଡିଗ୍ରୀ, କେନ୍ଦୁଝର ୩୭.୪, ସମ୍ବଲପୁର ଓ ହୀରାକୁଦ ୩୭.୨ ଡିଗ୍ରୀ ତାପମାତ୍ରା ରହିଛି।