‘ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି’
ଜେଲରୁ ଜାମିନରୁ ମୁକୁଳିବା ପରେ ମୁହଁ ଖୋଲିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ କହିଛନ୍ତି, ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଲୋକଙ୍କ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ସଞ୍ଜୟଙ୍କୁ ମଧ୍ୟ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା । ୬ ମାସ ଜେଲରେ କାଟିବା ପରେ ସଞ୍ଜୟଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା । ସଞ୍ଜୟଙ୍କ ଜାମିନକୁ ଇଡି ବିରୋଧ ନକରିବା କାରଣରୁ ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । ସଞ୍ଜୟ ଏହାମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଜେପି ନେତା ଜଡିତ । ଲୋକଙ୍କ ଉପରେ ଚାପ ପକାଇ କେଜ୍ରିୱାଲଙ୍କ ବିରୋଧରେ ଜୋରଜବରଦସ୍ତି ବୟାନ ନିଆଯାଉଛି । ମଙ୍ଗୁଟା ରେଡ୍ଡୀ ୩ ଏବଂ ତାଙ୍କ ପୁଅ ୭ଥର ବୟାନ ଦେଇଥିଲେ । ୧୬ ସେପ୍ଟେମ୍ବରରେ ଯେତେବେଳେ କେଜ୍ରିୱାଲଙ୍କ ସହ ସମ୍ପର୍କ ଅଛି କି ନାହିଁ ପଚରାଗଲା ସେତେବେଳେ ମଙ୍ଗୁଟା ରେଡ୍ଡୀ ମନା କରିଥିଲେ । ପରେ ତାଙ୍କ ପୁଅଙ୍କୁ ୫ ମାସ ପାଇଁ ଜେଲ ପଠାଇ ଦିଆଗଲା । ୧୦ ଫେବ୍ରୁଆରୀରୁ ୧୬ ଜୁଲାଇ ମଧ୍ୟରେ ୭ ଥର ବୟାନ ନେବା ପରେ ମଙ୍ଗୁଟାଙ୍କ ବୟାନ ବଦଳିଥିଲା । ୭ମ ବୟାନରେ କେଜ୍ରିୱାଲଙ୍କ ବିପକ୍ଷରେ ବୟାନ ଆସିଥିଲା । ବାପ-ପୁଅଙ୍କ ଠାରୁ ୯ଥର ବୟାନ ନିଆଯାଇଥିଲେ ମଧ୍ୟ କେଜ୍ରିୱାଲଙ୍କ ନାଁ ଆସିନଥିଲା । କିନ୍ତୁ ପରେ ଚାପ ପକାଇ ବୟାନ ବଦଳାଯାଇଥିଲା ବୋଲି କହିଛନ୍ତି ସଞ୍ଜୟ ସିଂ ।