୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ

ଆକାଶରୁ ନିଆଁ ବର୍ଷା

ଉପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର ସବୁଠି ପ୍ରଚଣ୍ଡ ଖରା । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ରାଜ୍ୟର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି କିନ୍ତୁ ତାହା ଟପିଯିବ ବୋଲି ଆଶଙ୍କା କରାଯାଉଛି। କାରଣ ଆଜି ସକାଳୁ ପ୍ରବଳ ଖରା ହେଉଥିବା ବେଳେ ଦିନ ସାଢେ ୧୧ଟା ସୁଦ୍ଧା କିଛି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାକୁ ବସିଲାଣି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବରର ତାପମାତ୍ରା ୩୯.୮ ଡିଗ୍ରୀ, କେନ୍ଦୁଝର ୩୯.୨ ଡିଗ୍ରୀ, ବାଲେଶ୍ୱର ୩୮ଡିଗ୍ରୀ,ଝାରସୁଗୁଡା ୩୮ ଡିଗ୍ରୀ ,ରାଉରକେଲା ୩୭.୮ ଡିଗ୍ରୀ, ଚାନ୍ଦବାଲି ୩୭.୪ ଡିଗ୍ରୀ, ସମ୍ବଲପୁର ୩୭.୪ ଡିଗ୍ରୀ, ହୀରାକୁଦ ୩୬.୬ ଡିଗ୍ରୀ, ପୁରୀ ୩୨.୪ ଡିଗ୍ରୀ, ପାରାଦୀପ ୩୨ ଡିଗ୍ରୀ ଓ ଗୋପାଳପୁର ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ତେବେ ୨ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।