ନିଦ ହଜାଇଲା ଜିରା !

ଖାଉଟିଙ୍କୁ ହନ୍ତସନ୍ତ କଲାଣି ବଜାର ଦରଦାମ। ସାଧାରଣ ଲୋକର ହାଣ୍ଡିଶାଳେ ଏବେ ହୁତୁହୁତୁ ହୋଇ ଜଳୁଛି ଦରଦାମ ନିଆଁ। କେତେବେଳେ ଟମାଟୋ, କଞ୍ଚାଲଙ୍କା ତ ଆଉ କେବେ ଅଦା। ଏବେ କିନ୍ତୁ ଯାହା କଥା କହିବୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, କାହିଁକି ନ ଏବେ ଜିରା ଦର ହଜାରେ ପାର। ପନିପରିବା ଦର ଖାଉଟିଙ୍କ ଉପରେ ଚଡ଼କ ପକାଇଥିବା ବେଳେ ଏବେ ହାଣ୍ଡିଶାଳରେ ମହଙ୍ଗା ଲିଷ୍ଟରେ ସାମିଲ ହୋଇଛି ଜିରା ।

ଜିରା କେଜି ହଜାରେ ଟଙ୍କାରେ ପହଞ୍ଚିଛି । ୧୫ଦିନ ତଳେ ଜିରା ଦର ୫୫୦ଟଙ୍କା ଥିଲା । ଦୁଇ ଦିନ ତଳେ ୭ଶହ ଛୁଇଁଥିଲା । କିନ୍ତୁ ଏବେ ଜିରା ଦର କେଜି ପ୍ରତି ହଜାରେ ଥିବାରୁ ଖାଉଟିଙ୍କ ନିଦ ହଜିଛି ।

ଟମାଟୋ ଶତକ ମାରିବା ପରେ ଅଦା, ରସୁଣ ଦର ବି ରେକର୍ଡ ଟପିଥିଲା । ଏବେ ସବୁ ରେକର୍ଡ ବ୍ରେକ୍ କରିଛି ଜିରା ଦର । ଖୁଚୁରା ବଜାରରେ ଜିରା କିଲୋ ପିଛା ହଜାରେ ଟଙ୍କାରେ ପହଞ୍ଚିଛି । ଗୁଜୁରାଟ ଓ ରାଜସ୍ଥାନରୁ ଯୋଗାଣ କମିଥିବାରୁ ଦର ବଢ଼ିଥିବା କୁହାଯାଉଛି ।