ଚିଠିରେ ସୁର କହିଲେ ‘ଜୀବନ ଥିଲା ଯାଏଁ କଂଗ୍ରେସରେ ରହିବି’
କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବରିଷ୍ଠ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ଏକ ଚିଠି ଲେଖି ସୁର କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ । ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଥିବା କହିଛନ୍ତି ସୁର । ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର । ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି । ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି ସୁର । ଏହାପୂର୍ବରୁ ଆଜି ସୁରଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ମନ୍ମଥ କହିଥିଲେ, ବାପାଙ୍କ ଅନୁମତି ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ ଦେଇଥିଲେ ତାହା ଏବେ ବି ମୋର ମନେଅଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଂଶସା କରିବା ସହ ବଡଭାଇ ଭଳି ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ମଥ । ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ ।