ପୁରୀ ଓ ଦିଗପହଣ୍ଡିରେ ବାପାଙ୍କ ବଦଳରେ ପୁଅ

ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ୍

ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ ପାର୍ଥୀ ଘୋଷଣା କରିସାରିଛି ବିଜୁ ଜନତା ଦଳ । ଏଥର କିଛି ବିଧାନସଭା ଆସନରେ ଦଳ ‘ବାପାଙ୍କ ବଦଳରେ ପୁଅ’ ତଥା ‘ମାଆଙ୍କ ବଦଳରେ ପୁଅ’ ଫର୍ମୁଲା ଆପଣାଇଛି । ପୁରୀ, ଦିଗପହଣ୍ଡି ଓ ଚିକିଟି ଆସନରେ ଏହି ଫର୍ମୁଲାରେ ଦଳ ବାଣ୍ଟିଛି ବିଧାନସଭା ଟିକେଟ୍ । ପୁରୀର ବିଜେଡି ନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ, ଏବେ ତାଙ୍କ ଟିକେଟ୍ ମିଳିଛି ପୁଅ ସୁନୀଲ ମହାନ୍ତିଙ୍କୁ । ମହେଶ୍ୱରଙ୍କ ଦେହାନ୍ତ ପରେ ଏବେ ପୁରୀରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ସୁନୀଲ ମହାନ୍ତି । ତେବେ ଗତଥର ପୁରୀ ବିଧାନସଭା ଆସନ ବିଜେପି ହାତକୁ ଚାଲିଯାଇଥିଲା । ତେଣୁ ଏଥର ସୁନୀଲ ପୁରୀରେ ଶଙ୍ଖ ବାନା ଉଡାଉଛନ୍ତି କି ନାହିଁ ତା ଉପରେ ରହିବ ଫୋକସ୍ । ସେହିପରି ଦିଗପହଣ୍ଡିରୁ ଲଗାତାର ଭାବେ ନିର୍ବାଚିତ ହେଉଥିବା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଦେହାନ୍ତ ପରେ, ଏବେ ତାଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ମିଳିଛି ବିଜେଡି ଟିକେଟ୍ । ବାପାଙ୍କ ପରେ ପୁଅକୁ ଭରସା କରିଛନ୍ତି ବିଜେଡି ସୁପ୍ରିମୋ । ସେପଟେ ଚିକିଟିର ବିଧାୟିକା ଥିବା ଉଷା ଦେବୀଙ୍କ ବଦଳରେ ଏଥର ତାଙ୍କ ପୁଅ ଚିନ୍ମୟ ସ୍ୱରୂପ ଦେବଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେହିପରି ପାଟକୁରାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରିବନ୍ଦ ମହାପାତ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ବିଜେଡି । ତା ସହିତ ସୋରଡାର ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କୁ ଟିକେଟ୍ ଦେଇଛି ବିଜୁ ଜନତା ଦଳ । ଖାଲି ସେତିକି ନୁହେଁ,  ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତିଙ୍କୁ ମଧ୍ୟ କେନ୍ଦ୍ରାପଡା ଆସନରୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି ।