ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୪ ଜଣଙ୍କୁ ନୋଟିସ କଲେ ହାଇକୋର୍ଟ

ଦୀର୍ଘଦିନ ଧରି ଜୋର ଧରୁଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ସବୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। କାହିଁକି ଶ୍ରୀମନ୍ଦିରର ପ୍ରସଙ୍ଗ ପ୍ରତୀତି ଓଡ଼ିଆଙ୍କ ଭାବାବେଗର ପ୍ରସଙ୍ଗ। ଏହି ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରଧୀନ ଥିବା ବେଳେ ଆଜି ଏହା ଶୁଣାଣି ହୋଇଛି। ଜବାବ ରଖିବା ପାଇଁ ପ୍ରତିପକ୍ଷର ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକ।

ତେବେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନ କରିଥିଲେ ବିଜେପି ନେତା ସମୀର ମହାନ୍ତି। ଏହି ଆବେଦନ ଆଧାରରେ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। 

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ରତ୍ନ ଭଣ୍ଡାର ଖୋଲିବା, ତା’ର ମରାମତି କରିବା ଓ ଅଳଙ୍କାର ଗଣତି ପାଇଁ ସେ ପିଟିସନ ଦାଖଲ କରିଥିଲେ। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଇଥିଲେ। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଥିଲେ ସମୀର। ଏହାକୁ ଆଧାର କରି ମାନ୍ୟବର ହାଇକୋର୍ଟ 4ଜଣଙ୍କୁ ନୋଟିସ କରିଛନ୍ତି । ତେବେ ପରବର୍ତ୍ତୀ ଶୁଣାଣିରେ କେଉଁ ରାୟ ଆସୁଛି ଦେଖିବାକୁ ଅପେକ୍ଷା କରିଛନ୍ତି ସମସ୍ତ ଜଗନ୍ନାଥ ପ୍ରେମୀ ।