କାହିଁକି ଅଚାନକ ଇସ୍ତଫା ଦେଲେ ନିର୍ବାଚନ କମିଶନ ଅରୁଣ ଗୋଏଲ୍
ଆଉ ମାତ୍ର ଦିନ କେଇଟା ପରେ ଘୋଷଣା ହୋଇଥାନ୍ତା ଲୋକସଭା ନିର୍ବାଚନ ତାରିଖ। ତେବେ ଏହା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନ ଅରୁଣ ଗୋଏଲ୍। ଶନିବାର ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଆଇ ରାଷ୍ଟ୍ରପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ତାଙ୍କର ଏଭଳି ଅଚାନକ ଭିଆର୍ଏସ୍ ନେବା ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ସେ କାହିଁକି ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ? କାହିଁକି ସେ ଏତେ ବଡ ପଦକ୍ଷେପ ନେଲେ? ଏନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବ୍ୟକ୍ତଗତ କାରଣ ଦର୍ଶାଇ ଅରୁଣ ଗୋଏଲ ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଥିଲା। ଏବେ ସେ ନିଜ ସ୍ୱାସ୍ଥ୍ୟାଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କୁହାଯାଉଛି।ତେବେ ଏହାରି ଭିତରେ ଅରୁଣଙ୍କୁ ନେଇ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି। ଅରୁଣ କୁଆଡେ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଏକ ରାଜନୈତିକ ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।