୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି

‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’

ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପ ଭେଟି ଦେଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଥିଲେ। ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ। ସେ କହିଛନ୍ତି, ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ। ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା। ବଳକା ବିଜୁଳି ବିକି ଲାଭବାନ ହୋଇପାରିବେ ଉପଭୋକ୍ତା। ମୋଦି ଆହୁରି କହିଛନ୍ତି, ଓଡ଼ିଶାର ସଂକଳ୍ପ କଣ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଅବ୍‌କି ବାର୍‌ ଚାର୍‌ଶୋ ପାର୍‌ ସଂକଳ୍ପ ସ୍ପଷ୍ଟ ହେଉଛି। ଦେଶରେ ପୁଣି ଥରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଗଢ଼ିବାକୁ ଯାଉଛି। ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ। ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି। ଓଡ଼ିଶା ବିକଶିତ ଭାରତର ଗେଟ୍‌ ୱେ ହେଉ। ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି।