ଦାଦାଙ୍କ ରାସ୍ତାରେ ପୁତୁରା

ପାଓ୍ବାର ପରିବାରରେ ପାଓ୍ବାର ପାଇଁ କଳି । ଦାଦା ପୁତୁରାଙ୍କ ବିଦ୍ରୋହ ଏବେ ଦେଖୁଛି ପୁରା ଦେଶ । ଦଳ ଭାଙ୍ଗି ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ ପାୱାର । ତେବେ ଏହା ସେ ନିଜ ଘରୁ ହିଁ ସିଖିଛନ୍ତି । କାରଣ ଏହା ମହାରାଷ୍ଟ୍ର ରାଜନୀତିରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ 45 ବର୍ଷ ତଳେ ସମାନ ଢଙ୍ଗରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ଶରଦ ପାଓ୍ବାର । ଆଉ ଦାଦା ଶରଦଙ୍କ ସେହି ପଥକୁ ଅନୁସରଣ କରି ତାଙ୍କରି ଉପରେ ଆପ୍ଲାଏ କରିଛନ୍ତି ପୁତୁରା ଅଜିତ ପାଓ୍ବାର । ଏଥସହ ଗତବର୍ଷ ଶିବ ସେନାରେ ଏକନାଥ ସିନ୍ଦେ ମଧ୍ୟ ସମାନ ଘଟଣା ଘଟାଇଥିଲେ । ୧୯୭୮ ମସିହାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ (ଏସ୍‌)କୁ ୬୯ଟି ଆସନ, କଂଗ୍ରେସ (ଆଇ)କୁ ୬୫ଟି ଆସନ ମିଳିଥିଲା।

ଜନତା ପାର୍ଟିକୁ ସର୍ବାଧିକ ୯୯ ଆସନ ମିଳିଥିଲେ ମଧ୍ୟ କୌଣସି ଦଳ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲେ। ଏଭଳି ସ୍ଥିତିରେ କଂଗ୍ରେସ ଏସ୍‌ ଏବଂ କଂଗ୍ରେସ ଆଇ ମିଶି ସରକାର ଗଠନ କରିଥିଲେ। କଂଗ୍ରେସ ଏସ୍‌ର ବସନ୍ତଦାଦା ପାଟିଲ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଆଇର ନାସିକରାଓ ତିରପୁଡ଼େ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଶରଦ ପାୱାର ବିଦ୍ରୋହ କରି ୩୮ କଂଗ୍ରେସ ବିଧାୟକଙ୍କ ସହିତ ବାହାରି ଆସି ଜନତା ପାର୍ଟି ସହ ମିଶି ନୂଆ ସରକାର ଗଠନ କରିଥିଲେ।

ସେତେବେଳେ ସେ ୩୮ ବର୍ଷ ବୟସରେ ମହାରାଷ୍ଟ୍ରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୮ ମସିହାରେ ଶରଦ ପାୱାର ଯୁବକ ଥିବା ସମୟରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହେବାର ସ୍ବାଦ ଚାଖିଥିଲେ। ଏହାପରେ ସେ ରାଜନୀତିରେ ଅନେକ ସଫଳତା ପାଇଛନ୍ତି। କିନ୍ତୁ ଏବେ ପରିଣତ ବୟସରେ ସେ ଦଳର ମୁଖ୍ୟ ଥିବାବେଳେ ପୁତୁରାଙ୍କ ବିଦ୍ରୋହ ତାଙ୍କ ନିଦ ହଜାଇ ଦେଇଛି । ଆଉ ଲାଗୁଛି ଯେପରି ବଡ ପାଓ୍ବାରଙ୍କ ଫର୍ମୁଲା ସାନ ପାଓ୍ବାର ଆପଣାଇ ପାଓ୍ବାରକୁ ଫେରିଛନ୍ତି ।