ଆବେଦନ କରିଦେଲେ ମିଳିବନି ଟିକେଟ୍, ପୂରଣ କରିବାକୁ ପଡ଼ିବ ସର୍ବନିମ୍ନ ଆବଶ୍ୟକତା
ଟିକେଟ ପାଇଁ କଂଗ୍ରେସର ଟାସ୍କ। ପ୍ରାର୍ଥୀ ଚୟନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ। କେବଳ ଆବେଦନ କରିଦେଲେ ମିଳିଯିବନି କଂଗ୍ରେସ ଟିକେଟ୍ । ପୂରଣ କରିବାକୁ ପଡ଼ିବ ସର୍ବନିମ୍ନ ଆବଶ୍ୟକତା। ପ୍ରାର୍ଥୀ ଚୟନରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରଗମନ ଆପ୍ ଜରିଆରେ ଆଶାୟୀଙ୍କ ଆବେଦନ ଗ୍ରହଣ କରାଯାଉଛି । ପ୍ରାର୍ଥୀ ଚୟନ ଚୁଡ଼ାନ୍ତ କରିବା ପୂର୍ବରୁ କଂଗ୍ରେସର ରହିଛି କିଛି ସର୍ବନିମ୍ନ ଆବଶ୍ୟକତା । ବିଧାନସଭା ପାଇଁ ଟିକେଟ ଆଶାୟୀଙ୍କୁ ସର୍ବନିମ୍ନ ୩ଶହ ଜଣଙ୍କୁ ପ୍ରଗମନ ଆପରେ ଯୋଡ଼ିବାକୁ ପଡ଼ିବ। ଏହି ୩ଶହ ଜଣ ସମର୍ଥକ, ଗୋଟିଏ ଟିମ ଭଳି କାମ କରିବେ। ଲୋକସଭା ପାଇଁ ଟିକେଟ ଆଶାୟୀଙ୍କୁ ସର୍ବନିମ୍ନ ୭ଶହ ଜଣଙ୍କୁ ପ୍ରଗମନ ଆପରେ ଯୋଡ଼ିବାକୁ ପଡ଼ିବ। ଲୋକସଭା ଅଧିନରେ ଆସୁଥିବା ୭ଟି ଲେଖାଏଁ ବିଧାନସଭାରୁ ଏହି ୭ଶହ ଜଣ ଯୋଡ଼ିବାକୁ ପଡ଼ିବ। ପ୍ରତି ବିଧାନସଭା କ୍ଷେତ୍ରରୁ ସର୍ବନିମ୍ନ ଶହେ ଜଣ ସମର୍ଥକ ହୋଇଥିବା ଜରୁରୀ।ପ୍ରଥମ ପର୍ଯ୍ୟାୟ ଆବେଦନ ପରେ ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ଚୟନ ନେଇ ଚର୍ଚ୍ଚା ହୋଇଛି । ତେବେ ଟିକେଟ୍ ଘୋଷଣା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ କସରତ ଆରମ୍ଭ ହୋଇଛି । ଆଉ ଏଥିପାଇଁ କିଛି ସର୍ବନିମ୍ନ ଆବାଶ୍ୟକତା ରଖାଯାଇଛି । ଏହା ପୂରଣ ନକଲେ ଆବେଦନ ସତ୍ୱେ ଟିକେଟ ମିଳିବା କଷ୍ଟକର ହେବ ବୋଲି କଂଗ୍ରେସ କହିଛି । ପ୍ରଗମନ ଆପ୍ ଜରିଆରେ ବିଧାନସଭାର ୧୪୭ ଆସନ ପାଇଁ ପ୍ରାୟ ୩ହଜାର ଏବଂ ୨୧ ଲୋକସଭା ଆସନ ପାଇଁ ପ୍ରାୟ ୭ଶହ ଆବେଦନ ହୋଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା ।