ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ ଯାଏଁ ହେବ ନାଟମଣ୍ଡପ ମରାମତି କାମ

୨୩ରୁ ଆରମ୍ଭ ନାଟମଣ୍ଡପ ମରାମତି କାମ

ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ହେବ ନାହିଁ ଓ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ନୀତି ସବକମିଟି ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟକରାଯାଇଛି । ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଟା ଯାଏଁ କାମ ହେବ । ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡେଇ ଓ ସଫା କାର୍ଯ୍ୟ କରାଯାଇଥିଲା । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ । ୪ ଟି ଷ୍ଟେନ୍ ଲେସ ଷ୍ଟିଲ ବିମ ଲଗାଯିବ । ଏଥିପାଇଁ ଡିଜାଇନ୍ ଚୂଡାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି । ଫେବୃଆରୀ ୨୩ ତାରିଖ ରାତି ୨ଟାରୁ ସିଂହଦ୍ୱାର ଫିଟିବା ସହ ରାତି ୧୧ ଟାରେ ରାତ୍ର ପହୁଡ ହେବ । ମରାମତି ସମୟରେ ଦର୍ଶନ ଜାରି ରହିବ । ସେହିପରି ଏଣିକି ମାସରେ ଥରେ ଶ୍ରୀମନ୍ଦିର ଭିତରେ ଏବେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଦିବ୍ୟାଙ୍ଗ ଭକ୍ତ । ସେମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପଞ୍ଜିକରଣ କରିବା ପରେ ସ୍ୱଚ୍ଛାସେବୀମାନେ ସେମାନଙ୍କୁ ଉତ୍ତର ଦେଇ ଦେଇ ଦର୍ଶନ ପାଇଁ ସହାୟତା କରିବେ । ଏ ନେଇ ଚୂଡାନ୍ତ ଖସଡ଼ା ଓ ତାରିଖ ଧାର୍ଯ୍ୟ ହେବ । ବୈଠକ ପରେ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହା କହିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ନାଟମଣ୍ଡପ ମରାମତି ଶେଷ ହେବ । ଏହି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଓ ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏ ସମସ୍ତ ଦିଗକୁ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି , ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଛନ୍ତି ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱ କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଏଏସଆଇ ପକ୍ଷରୁ ଏହାର ମରାମତି ଦାୟିତ୍ୱ ଶୀଘ୍ର ହାତକୁ ନିଆଯିବ । ନଭେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ୪୯ ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ ।