ମେଟ୍ରୋ ଟ୍ରେନ ପାଇଁ ୧ ହଜାର କୋଟି

ବିମାନ ଯୋଗାଯୋଗ ବ୍ୟବସ୍ଥା ପାଇଁ ୩ହଜାର କୋଟି

ବିଧାନସଭାରେ ହେବ ଆଗତ ହୋଇଛି ଚଳିତ ବର୍ଷର କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ବଜେଟ ଉପସ୍ଥାପନ ହେଉଛି । ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି। ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ‘ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି,୨୦୨୨’ ନାମକ ଏକ ଉଚ୍ଚଭିଳାଷୀ ନୀତିର ଶୁଭାରମ୍ଭ କରିଛନ୍ତି । ପୁରୀଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ, କୋରାପୁଟ ସ୍ଥିତ ଜୟପୁର ବିମାନବନ୍ଦର, କଳାହାଣ୍ଡିର ଉତ୍କେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ମାଲକାନାଗରିର ଏୟାରଷ୍ଟ୍ରିପର ମାରାପତି ଓ ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମର ବ୍ୟୟବରାଦରେ ପରିବହନ ବିଭାଗ ପାଇଁ ୨ ହଜାର ୯ଶହ ୯୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଯାହା କି, ୨୦୨୩-୨୪ ବଜେଟ୍ ତୁଳନାରେ ୧୫୨ ପ୍ରତିଶତ ଅଧିକ ।

ମେଟ୍ରୋଟ୍ରେନ୍ ପ୍ରୋଜେକ୍ଟ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ରଳ ଦିବସ ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୂବନେଶ୍ୱର ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମେଟ୍ରୋ ପ୍ରକଳ୍ପ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ବିକାଶ ନିମନ୍ତେ ୭ ଶହ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।

କାମଚଳା ବଜେଟରେ ଲକ୍ଷ୍ମୀ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୧୨୨ଟି ଉଚ୍ଚମାନର ବସକୁ ମିଶାଇ ମୋଟ ୧ ହଜାର ୭୪୫ଟି ବସ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୀ ଯୋଜନା ପାଇଁ ୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧ ହଜାର ୧୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଲକ୍ଷ୍ମୀ ଯୋଜନା ସହରାଞ୍ଚଳ ଓ ଗ୍ରାମୀଣ ସମୁଦାୟକୁ ନିରବଚ୍ଛିନ୍ନ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଉତ୍ତମ ଯୋଗାଯୋଗ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାଦ୍ୱାରା ଗ୍ରାମୀଣ ସମୁଦାୟର ମୌଳିକ ଆବଶ୍ୟକତା ପୂରଣ କରାଯିବା ସହିତ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହାୟକ ହେବ । ସାର୍ବଜନୀନ ସରକାରୀ ପରିବହନ ସେବା ଉପଲବ୍ଧ କରାଇବା ସହିତ ଲ କ୍ଷ୍ମୀ ଯୋଜନା ଗ୍ରାମ ପଞ୍ଚାୟତ ଗୁଡିକୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ରାଜ୍ୟ ରାଜଧାନୀ ସହିତ ସଂଯୁକ୍ତ କରି ସାରା ରାଜ୍ୟରେ ବିଭିନ୍ନ ସାମଗ୍ରୀ ଓ ଯାତ୍ରୀମାନଙ୍କ ପରିବହନକୁ ସୁନିଶ୍ଚିତ କରାଇଛି ।