କଥା ଦେଇ ଠକି ଦେଲା କି ମୌସୁମୀ !

କଥା ଦେଇଥିଲା ମୌସୁମୀ, ଏଥର ସଅଳ ଆସିବ । ଚାଷୀ ତାର କ୍ଷେତରେ ଫଳାଇବ ସୁନାର ଫସଲ । ଗ୍ରୀଷ୍ମର ଦାରୁଣ ଦୁଖକୁ ଲାଘବ କରିବ । ମୌସୁମୀ ଆସିବାକୁ ସମସ୍ତେ ବି ଚାତକ ପରି ଚାହିଁ ରହିଥାନ୍ତି । କେବେ ମୌସୁମୀର ଆଗମନ ହେବ, କଳାହାଣ୍ଡିଆ ମେଘ ଦେଖି ପୁଚ୍ଛ ପ୍ରସାରିତ କରି ମୟୁରୀ ନାଚି ଉଠିବ । ଆକାଶ ମାଟିର ହେବ ମହାମିଳନ । ହେଲେ ନା କାଇଁ ଜୁନ ଜାଇ ତ ଜୁଲାଇ ହେଲାଣି କିନ୍ତୁ ବର୍ଷାର ଦେଖା ନାହିଁ ।

ଦିନରେ ସୂର୍ଯ୍ୟଙ୍କ ପ୍ରକୋପରୁ ବଂଚିବା ବି ବଡ ମୁସ୍କିଲ ହୋଇଗଲାଣି । ଗ୍ରୀଷ୍ମ ପ୍ରକୋପରୁ କିଏ ଏହି ଜୀବଜନ୍ତୁଙ୍କୁ ରକ୍ଷା କରିବ ସେନେଇ ମଧ୍ୟ ଏବେ ସବୁଠି ଭାଳେଣି ପଡିଛି । ଆଷାଢ ଯାଇ ଶ୍ରାବଣ ହେଲାଣି କିନ୍ତୁ ବର୍ଷା ହେବାର ନାଁ ଧରୁନି । ଚାଷୀ ମୁଣ୍ଡରେ ଚଡକ ପଡିଛି । ବିଲ ଫାଟି ଏବେ ଆଁ କଲାଣି । କେବେ ସେ ଆରମ୍ଭ କରିବ ତାର କୂଳବେଉଷଣ । କେବେ ନାନା ବାୟା ଗୀତ ଗାଇ ତା କାଳିଆ କସରା ବଳଦ ଦୁଇଟିକୁ ସାଥୀରେ ଧରି ବିଲକୁ ଯିବ ।

ଧାରା ଶ୍ରାବାଣରେ ପୃଥିବୀ କେବେ ପାଇବ ନବଜନ୍ମ । ପାଣିପାଗ ବିଭାଗକୁ ପଚାରିବାରୁ ଉତର ମିଳୁଛି କେବଳ ଅପେକ୍ଷା । ସତରେ ଏ ଅପେକ୍ଷାଟି ଭାରି କଷ୍ଟ ଦାୟକ । ଲାଗୁଛି କଥା ଦେଇ ଠକି ଦେଲା କି ମୌସୁମୀ ।