ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି । ଆଜି ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିବା ବେଳେ ରାଜ୍ୟ ସରକାର କେତୋଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି । ଯାହାକୁ ଆବେଦନକାରୀ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏ ପ୍ରଶ୍ନ ଉଠିଥିଲା କି ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ ହେଉଛି ନା ରାଜ୍ୟ ଆଧାରରେ । ତେବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ନିୟମରେ କାହିଁକି ପରିବର୍ତ୍ତନ କରାଗଲା ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି, ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲା ଏବଂ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।