ସେ ପଟ୍ଟନାୟକ, ଏ ପଟ୍ଟନାୟକଙ୍କ ମଧ୍ୟରେ ବଡ଼ ତଫାତ: ମଲ୍ଲିକାର୍ଜୁନ ଖଡଗେ
କେନ୍ଦ୍ର-ରାଜ୍ୟ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଟାର୍ଗେଟ । ବିଜେପି – ବିଜେଡିକୁ କଡ଼ା ସମାଲୋଚନା । ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ହମ୍ଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଖଡ୍ଗେ । କହିଛନ୍ତି ଗୋଟିଏ ଅଫିସରକୁ ବସାଇ ଏଠାରେ ସରକାର ଚାଲିଛି । ଏଠାରେ ନେତାମାନଙ୍କର କଣ ଜୀବନ ନାହିଁକି ବୋଲି ପ୍ରଶ୍ନ କରିଛନ୍ତି ଖଡ଼ଗେ । ଆପଣଙ୍କ ପାଖରେ କଣ ଲୋକ ନାହାନ୍ତି, ବାହାରୁ ଆଣିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିବା ସହ ଗୋଟିଏ ଲୋକ ବାହାରୁ ଆସି କେମିତି ପରାମର୍ଶଦାତା ବନିଗଲେ ବୋଲି ସେ ପଚାରିଛନ୍ତି । ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଏବେ ତାଙ୍କର ପରାମର୍ଶଦାତା ବୋଲି କଟାକ୍ଷ କରିଛନ୍ତି ଖଡ୍ଗେ । ଅନ୍ୟପଟେ ନୀତୀଶ କୁମାରଙ୍କ ନାଁ ନନେଇ ଟାର୍ଗେଟ ମଧ୍ୟ କରିଛନ୍ତି ଖଡ୍ଗେ । ଜଣେ ବ୍ୟକ୍ତି ଚାଲିଗଲା ପରେ କୁହାଯାଉଛି ମେଣ୍ଟ ଦୁର୍ବଳ ହୋଇଗଲା । ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହେବା ଭାବିବା ଭୁଲ୍ । ଆମେ ଏକାଠି ଅଛୁ, ମିଶିକି ମୋଦି-ନବୀନଙ୍କୁ ହରାଇବୁ ବୋଲି କହିଛନ୍ତି । ଖଡ୍ଗେ ନିଜ ଭାଷଣରେ କହିଛନ୍ତି ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା କେବଳ ଧନୀ ଲୋକଙ୍କ ସରକାର । ଓଡ଼ିଶା ପାଇଁ ସେମାନେ କିଛି ବି କରି ନାହାନ୍ତି । ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ କରିଛି । ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । କିନ୍ତୁ ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି । ‘ବିଜେପି-ବିଜେଡିର ଭିତିରି ସମ୍ପର୍କ ଯୋଗୁଁ କଂଗ୍ରେସ ସେମାନଙ୍କର ବାହାଘର କରିଛି । ଉଭୟଙ୍କ ମଧ୍ୟରେ ଲଭ୍ ମ୍ୟାରେଜ୍ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍ ଅଚଳ ହୁଏ’ । ଖଡ୍ଗେ ଆହୁରି କହିଛନ୍ତି, ସିବିଆଇ-ଇଡି ଲଗାଇ ହୁକୁମାତି କରୁଛି ବିଜେପି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କଲେ ଖଡ୍ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ