ମହାନଦୀ ମଝିରେ ମଦ୍ୟପଙ୍କ ହାଇଡ୍ରାମା !

ଆଜିର ସମାଜରେ ମଦ୍ୟପଙ୍କ ଡ୍ରାମା ସହ ଆପଣ ବେସ ପରିଚିତ ଥିବେ। ମଦ ପିଇବା ପରେ କେବେ ରାସ୍ତା କଡରେ ହେଉ କିମ୍ବା ନାଳ ନର୍ଦମା ଏମାନଙ୍କ ଘର ପାଲଟି ଥାଏ। କିନ୍ତୁ ଏ ଘଟଣାଟି ଟିକେ ଅଲଗା । ମଦ ପିଇ ମଝି ନଈକୁ ଚାଲିଯାଇଥିଲେ ଯୁବକ ଜଣଙ୍କ । ସାରା ରାତି ମହାନଦୀ ନଦୀ ମଝିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଅଗ୍ନିଶମ ବାହିନୀ ମଧ୍ୟ ବେସ ହଇରାଣ ହୋଇଥିଲେ । ନଦୀ ମଝିରେ ଦୀର୍ଘ ୪ ଘଣ୍ଟାର ମହାଡ୍ରାମା ପରେ ମଦ୍ୟପ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁର ଚନ୍ଦନ ବେହେରା ନାମକ ଜଣେ ମଦ୍ୟପ ଯୁବକ ନିଶାଶକ୍ତ ହୋଇ ମହାନଦୀର ମଝିକୁ ଚାଲି ଯାଇଥିଲେ। ଏହି ସମୟରେ ହଠାତ୍ ମହାନଦୀରେ ପାଣି ଆସିଯିବାରୁ ସେଠାରେ ଯୁବକ ଜଣକ ଫସି ରହିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇଜଣ ମଧ୍ୟ ନଈ ମଝିରେ ଫସି ରହିଥିଲେ। ପ୍ରଥମେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

ମାତ୍ର ଏହି ମଦ୍ୟପ ଯୁବକ ଜଣକ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଦେଖି ମହାନଦୀର ଟାପୁରେ ଧାଇଁବାକୁ ଲାଗିଥିଲେ। ଶେଷରେ ଯୁବକ ଜଣକ ନଈ ସୁଅକୁ ଡେଇଁ ପଡ଼ିଥିଲେ। ମାତ୍ର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ମଧ୍ୟ ନଈକୁ ଡେଇଁ ଏହି ମଦ୍ୟପ ଯୁବକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଯୁବକଙ୍କୁ ଉଦ୍ଧାର ପରେ ତାଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି ।