ଇସ୍ତଫା ଦେଇ ନୂଆ ସରକାର ଗଢ଼ିବେ ନୀତୀଶ!

ଭାଙ୍ଗିବ ବିହାର ମେଣ୍ଟ, ଇସ୍ତଫା ଦେବେ ନୀତୀଶ

ଆଜି ଭାଙ୍ଗିବ ବିହାର ମେଣ୍ଟ । ଇସ୍ତଫା ଦେଇ ନୂଆ ସରକାର ଗଢ଼ିବେ ନୀତୀଶ! ବିଜେପି ସମର୍ଥନରେ ସରକାର ଗଢିପାରନ୍ତି ନୀତୀଶ କୁମାର । ଅପରାହ୍ନ ୪ଟାରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୧୦ଟାରେ ପାଟନାରେ ବସିବ ଜେଡିୟୁ ବିଧାୟକ ଦଳ ବୈଠକ । କୁହାଯାଉଛି ବୈଠକ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେବେ ନୀତୀଶ । ତା’ସହ ଏନଡିଏ ବିଧାୟକ ମାନଙ୍କ ସମର୍ଥନ ଥିବା ଚିଠି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ଆଜି ରବିବାର ସତ୍ତ୍ୱେ ବିହାର ସଚିବାଳୟରେ ଛୁଟି ରଦ୍ଦ କରାଯାଇଛି । ଏହା ପୂର୍ବରୁ ୯ଟାରେ ବସୁଛି ବିଜେପି ବଧାୟକ ଦଳ ବୈଠକ । ସେପଟେ ଭବିଷ୍ୟତ କାର୍ୟ୍ୟପନ୍ଥା ନେଇ ଆରଜେଡି ଓ କଂଗ୍ରେସରେ ମହାମନ୍ଥନ ଚାଲିଛି । ଲୋକଜନଶକ୍ତି ପାର୍ଟି ସଭାପତି ଚିରାଗ ପାଶୱାନ୍ ଗତକାଲି ନୂଆଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଚିରାଗ ପାଶୱାନ୍ । ବର୍ତ୍ତମାନ ବିହାର ବିଧାନସଭାରେ ୨୪୩ଟି ଆସନ ରହିଛି । ସେଥିରୁ ମହାଗଠବନ୍ଧନ ମେଣ୍ଟ ପାଖରେ ୧୬୦ ସିଟ୍ ରହିଛି । ଆରଜେଡି ୭୯, ଜେଡିୟୁ ୪୫, କଂଗ୍ରେସ ୧୯, ବାମଦଳ ୧୬ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ବିରୋଧୀ ମେଣ୍ଟରେ ୮୨ ବିଧାୟକ ରହିଛନ୍ତି । ସରକାର ଗଢିବା ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଦରକାର । ଗତକାଲି ଦିନ ତମାମ ବିହାର ରାଜନୀତି ସରଗରମ ରହିଥିଲା । ଜେଡ଼ିୟୁ, ବିଜେପି, କଂଗ୍ରେସ ଓ ଆରଜେଡି ନେତାମାନଙ୍କର ଦିନ ତମାମ ବୈଠକ ଚାଲିଥିଲା । ପରିବର୍ତ୍ତିତ ସ୍ଥିତି ନେଇ ବିଚାର ବିମର୍ଶ ଜାରି ରହିଥିଲା ।