ଗଞ୍ଜାମ(ଯଯାତି ଏକ୍ସପ୍ରେସ ବ୍ଯୁରୋ): ମା ସାଜିଲା ନର ରାକ୍ଷସୀ। ଅନ୍ୟ କେହି ନୁହେଁ ବରଂ ନିଜ ଜନ୍ମ କଲା ପିଲାଙ୍କୁ କରିଛି ହତ୍ୟା। ପାଇବାରିକ କଳହର କରୁଣ ପରିଣତି। ମା’ ପାଲଟିଲା ପିଶାଚ। ନିଜ ଗର୍ଭରୁ ଜନ୍ମ ଦେଇଥିଲା ପିଲାଙ୍କୁ ରାତି ଅଧରେ କୂଅକୁ ଠେଲି ଦେଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ୍ୟ । ନିଜ ୩ ପିଲାଙ୍କୁ କୂଅକୁ ଠେଲି ମା’ ନିଜେ ବି କୂଅକୁ ଡେଇଁ ପଡ଼ିଥିଲା। ମାତ୍ର ଏଥିରେ ନିଜ ବଡ଼ ଝିଅଙ୍କ ସହ ମହିଳାଜଣକ ବର୍ତ୍ତି ଯାଇଥିବା ବେଳେ ୨ ନିଷ୍ପାପ ଶିଶୁ କିନ୍ତୁ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ମୃତକଦ୍ୱୟଙ୍କ ମଧ୍ୟରେ ୫ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ଥିବା ଜଣାଯାଇଛି।
ପଡ଼ୋଶୀଙ୍କ କହିବା ଅନୁଯାୟୀ ମହିଳାଙ୍କ ୩ ପିଲା ଥିବା ବେଳେ ସେମାନଙ୍କ ସହ ସେ ନିଜ ଶାଶୁ ଘରେ ରୁହନ୍ତି। ମାତ୍ର ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ମହିଳାଜଣକ ମାନସିକ ଅବସାଦରେ ରହୁଥିଲେ। ଗତକାଲି ମଧ୍ୟ ଏଭଳି ଝଗଡା ହେବା ପରେ ଚରମ ନିଷ୍ପତ୍ତି ନେଇଥିଲା ମା । ଆଉ ତିନି ପିଲାଙ୍କୁ କୂଅକୁ ଠେଲି ଦେବା ପରେ ନିଜେ କୂଅକୁ ଡେଇଁ ପଡିଥିଲେ।
ପାଟିଶୁଣି କୂଅ ପାଖକୁ ଦୌଡ଼ି ଯାଇଥିଲେ ପାଖ ପଡୋଶୀ। ସଙ୍ଗେସଙ୍ଗେ ଗ୍ରାମବାସୀ ତୁରନ୍ତ ମହିଳାଙ୍କ ସମେତ ବଡ଼ ଝିଅଙ୍କୁ କୂଅରୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ମେଡିକାଲ ପଠାଯାଇଥିଲା। ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ମାତ୍ର ସାନ ସାନ ପୁଅ, ଝିଅଙ୍କ ପତ୍ତା ନ ମିଳିବାରୁ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିଲେ ଅଗ୍ନିଶମ କର୍ମଚାରୀ ତୁରନ୍ତ ଗାଁରେ ପହଞ୍ଚି ଉଭୟ ପୁଅ, ଝିଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟରେ ଚର୍ଚାର ବିଷୟ ସାଜିଛି।