ଶାମ୍ବ ଦଶମୀ କାହିଁକି ପାଳନ କରାଯାଏ ?

ଶାମ୍ବ ଦଶମୀ ପର୍ବର ବିଶେଷତ୍ୱ, କ’ଣ କହେ ଶାସ୍ତ୍ର ପୁରାଣ?

ଅଇଲା ଚିତୋଉ ନାନୀ
ବାରଓଷା ପର୍ବ ସଙ୍ଗରେ ଘେନି,
ଶମ୍ବର ଦଶମୀ ଅଲଣାଦାଉ
ସବୁ ଓଷା ବାର ଏଇଠି ଥାଉ ।
ଏହି ଢଗ ମନେପଡେ ଯେତେବେଳେ ଶାମ୍ବ ଦଶମୀ ଆସେ। ଆଜି ହେଉଛି ସେହି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ । ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ ଚନ୍ଦ୍ରମାନ ବର୍ଷର ଶେଷ ପର୍ବ ବୋଲି ମଧ୍ୟ କୁହାଯାଏ। କାହିକିଁ ନା ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ଅଥବା ଛଅ ମାସ ପର୍ଯ୍ୟନ୍ତ ପିଠାପଣାର ପର୍ବ ପଡ଼େ ନାହିଁ ।

ଶାମ୍ବ ଦଶମୀ ପର୍ବର ବିଶେଷତ୍ୱ:-
ମାଆ ମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ପାଇଁ।

କ’ଣ କହେ ଶାସ୍ତ୍ର ପୁରାଣ:-
ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣନା କରାଯାଇଛି। ଏହି ପୁରାଣ ଅନୁସାରେ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶାମ୍ବପୁରାଣ ଶୁଣାଇଛନ୍ତି । ଶାମ୍ବ ନାମ ଅନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କୁହାଯାଏ ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଔରସରୁ ଜନ୍ମିତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ । ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ-କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବାର ଅଭିଶାପ ଦେଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ସେଠାରେ ସୂର୍ଯ୍ୟଙ୍କ ପୂଜା ଆରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରିଥିଲେ । ସେହିକାଳରୁ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜାର୍ଚ୍ଚନା କରାଯାଏ ।

ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-‘ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।’ କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ । ଏହା ଥିଲା ଶାମ୍ବ ଦଶମୀର ତାତ୍ପର୍ଯ୍ୟ ଏଵଂ ପୁରାଣ କଥା ।