ବିଜେପି ଓ ଟିଏମସିକୁ ଟାର୍ଗେଟ୍ କରିଛି ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବାମଦଳର ଶକ୍ତି ପ୍ରଦର୍ଶନ । ବିଜେପି ଓ ଟିଏମସିକୁ ଟାର୍ଗେଟ୍ କରିଛି ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି । ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଆଜି ପଶ୍ଚିମବଙ୍ଗରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ବ୍ରିଗେଡ ପଡିଆରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏହି ସଭାକୁ ସିପିଆଇ (ଏମ୍) ର ଯୁବଶାଖା ଡିୱାଇଏଫଆଇ ଆୟୋଜନ କରିଥିଲା । ୨ମାସ ଧରି ଚାଲିଥିବା ଇନସାଫ୍ ରାଲି ସରିବା ପରେ ଏହି ରାଲିର ଆୟୋଜନ କରାଯାଇଥିଲା । ଡିୱାଇଏଫଆଇର ରାଜ୍ୟ ମୁଖ୍ୟ ମିନାକ୍ଷୀ ମୁଖାର୍ଜୀ ରାଲିକୁ ସମ୍ବୋଧିତ କରିବା ଅବସରରେ ବିଜେପି ଓ ଟିଏମସି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଟିଏମସି ଓ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶବାସୀ ଓ ରାଜ୍ୟବାସୀଙ୍କ ଦୈନଦିନ ଜୀବନ ବିଷମୟ ହୋଇଯାଇଛି । ୨୦୨୧ ମସିହାରେ ମିନାକ୍ଷୀ ମୁଖାର୍ଜୀଙ୍କୁ ସିପିଆଇଏମ ମମତା ବାନାର୍ଜୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା । ଏହାପରେ ସାରା ରାଜ୍ୟରେ ମିନାକ୍ଷୀ ଏକ ପରିଚିତ ଚେହେରା ହୋଇସାରିଛନ୍ତି । ସେହିପରି ସିପିଆଇଏମର ମହାସଚିବ ମହମ୍ମଦ ସଲିମ ମଧ୍ୟ ମମତା ବାନାର୍ଜୀ ଓ ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଦୁର୍ନୀତି ନେଇ ବୁଝାମଣା ହୋଇଛି । ଆଜିର ଏହି ବିଶାଳ ରାଲିରେ ଲକ୍ଷ ଲକ୍ଷ ଯୁବ ଛାତ୍ରଙ୍କୁ ଦେଖିବାକୁ ମିଳିଥିଲା ।