‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?: ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା ଯିବେନି ପୁରୀ ଶଙ୍କରାଚାର୍ଯ୍ୟ

ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏହି ସମାରୋହକୁ ଐତିହାସିକ ବନାଇବାକୁ ଲାଗି ପଡିଛନ୍ତି ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି । କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ଏବଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ କହିଛନ୍ତି , ‘ ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କ’ଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ଯ୍ୟାଦା ରହିଛି । ରାମ ମନ୍ଦିରର ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ । କିନ୍ତୁ ଏଭଳି ଅୟୋଜନକୁ ମୁଁ ଯିବି ନାହିଁ’ । ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଛି ସେଥିରେ ମୁଁ ଏବଂ ଅନ୍ୟ ଜଣଙ୍କୁ ଯିବାକୁ ଅନୁମତି ରହିଛି । ଏହା ବ୍ୟତୀତ ଆଉ କିଛି ବି ଯୋଗାଯୋଗ କରାଯାଇନାହିଁ । ଏହି କାରଣରୁ ମୁଁ ସେ ଆୟୋଜନକୁ ଯିବିନାହିଁ । ଶ୍ରୀରାମ ମନ୍ଦିରକୁ ନେଇ ଯେଭଳି ଭାବେ ରାଜନୀତି ହେଉଛି ତାହା ଗ୍ରହଣୀୟ ନୁହେଁ’ ।