ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ

ମୃତ୍ୟୁରେ ଆମର କୌଣସି ଦୋଷ ନାହିଁ: ହସ୍ପିଟାଲ କର୍ତ୍ତୃପକ୍ଷ

ହାଇଟେକ ମେଡିକାଲ ସାମ୍ନାରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା । ମୃତଦେହ ଚିହ୍ନଟରେ ଅସମ୍ବେଦନଶୀଳତା । ପ୍ରଥମେ କହିଲେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି । ଦୁଃଖ ସହି ନପାରି ଦିଲ୍ଲୀପଙ୍କ ପତ୍ନୀ କଲେ ଆତ୍ମହତ୍ୟା । ଏବେ ହାଇଟେକ କହୁଛି ଦିଲ୍ଲୀପ ବଂଚିଛନ୍ତି । ଦିଲ୍ଲୀପ ମରିନାହାନ୍ତି ମୃତକ ହେଉଛନ୍ତି ଜ୍ୟୋତି ମଲ୍ଲିକ । କାଲି ପର୍ଯ୍ୟନ୍ତ ଜ୍ୟୋତିଙ୍କ ପରିବାରକୁ କୁହାଯାଉଛି ସେ ଚିକିତ୍ସିତ ହେଉଛନ୍ତି । ସକାଳୁ ହଠାତ ଜ୍ୟୋତିଙ୍କ ମୃତ୍ୟୁଙ୍କ ଖବର ଶୁଣି ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ଜ୍ୟୋତିଙ୍କ ମୃତଦେହ ମାଗିଲେ ଦେଉନାହିଁ ହାଇଟେକ । ତାହା ଦିଲ୍ଲୀପଙ୍କ ପରିବାରକୁ ଭୁଲରେ ଦିଆଯାଇଥିବା ସଫେଇ ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ହସ୍ପିଟାଲ ସାମ୍ନାରେ ଜ୍ୟୋତି ପରିବାର ଧାରଣାରେ ବସିଥିଲେ । ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରି ନିଜକୁ ଦିଲ୍ଲୀପ ବୋଲି କହିଥିଲେ । ଏପରିକି ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଇଥିଲା । ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ । ଉଭୟ ପରିବାର ଚିହ୍ନଟରୁ ଜୀବିତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା । କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ, ଏଣୁ ପରିଚୟ ଜାଣିବା ଆମ କାମ ନୁହେଁ ବରଂ ଚିକିତ୍ସା କରିବା ଆମ କାମ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଜ ସଫେଇରେ କହିଛନ୍ତି ।