ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି
ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି । ୨୦୧୮ରୁ ବହିଷ୍କାର କରିଥିଲା ବିଜେଡି । ବିଜେଡିରୁ ବହିଷ୍କାର ହେବା ପରେ ବିଜେପିରେ ଯୋଗ ଦେଇଥିଲେ । ଏବଂ ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ ଦାମ ରାଉତ । ୨୦୧୯ ନିର୍ବାଚନ ପୂର୍ବରୁ ଯେମିତି ବରିଷ୍ଠ ନେତା ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଦୀର୍ଘ ୬ ବର୍ଷ ପରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶକୁ ହଟାଇଛନ୍ତି । ଆଗକୁ ଯେତେବେଳେ ୨୦୨୪ ନିର୍ବାଚନ ଆସୁଛି, ଠିକ୍ ତା’ ପୂର୍ବରୁ ତାଙ୍କ ଉପରୁ ବହିଷ୍କାର ଆଦେଶକୁ ଉଠାଇ ନେଇଛି ଦଳ । ଏହାକୁ ନେଇ ଦାମଙ୍କ ସମର୍ଥକ ବେଶ୍ ଖୁସି ଓ ଉତ୍ସାହିତ ହୋଇପଡ଼ିଛନ୍ତି । ବହିଷ୍କାର ହଟିବା ପରେ ଦାମଙ୍କ ଘର ଆଗରେ ବାଣଫୁଟାଇ, ବାଜା ବଜାଇ ଜୋରଦାର ସେଲିବ୍ରେସନ୍ ହୋଇଛି । ଏପରିକି ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତଙ୍କୁ କାନ୍ଧରେ ବସାଇ ନାଚିଥିଲେ ଦାମଙ୍କ ସମର୍ଥକ । ତେବେ ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପରେ ଭାବବିହ୍ୱଳ ହୋଇପଡିଛନ୍ତି ପୁଅ ସମ୍ବିତ ରାଉତରାୟ । ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ଏକ ନାଟକୀୟ ଢଙ୍ଗରେ ଦାମଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ବ୍ରାହ୍ମଣ ସମାଜ ପ୍ରତି ଅରୁଚିକର ତଥା କଟୁ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟିଯାଉ ବୋଲି ସେ ଚାହୁଁଥିଲେ ।ବିଜେଡିରୁ ବହିଷ୍କାର ପରେ ୧୪ ମାର୍ଚ୍ଚ ୨୦୧୯ରେ ବିଜେପିରେ ସାମିଲ ହୋଇଥିଲେ ଦାମ । ବାଲିକୁଦା-ଏରସମା ପାଇଁ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜୟବରଣ କରିଥିଲେ ହେଭିୱେଟ ନେତା । କିନ୍ତୁ ଦାମୋଦର ରାଉତ ଏବେ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି ।
