ନିଜ ଆଦେଶରେ ରୋକ୍ ଲଗାଇଲେ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ପରାମର୍ଶ ସତ୍ତ୍ୱେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଜାରି କରିଥିବା ଆଦେଶ ଉପରେ ସେ ନିଜେ ହିଁ ରୋକ ଲଗାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହୋଇଥିବା ଭି ସେନ୍ଥାଲି ବାଲାଜୀଙ୍କୁ ରାଜ୍ୟପାଳ ରବି ଗୁରୁବାର ହଠାତ୍‌ ରାଜ୍ୟ କ୍ୟାବିନେଟରୁ ବହିଷ୍କାର କରିଥିଲେ। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କୋର୍ଟରେ ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ। ବିବାଦ ବଢ଼ୁଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଥିଲା। ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ ରାଜ୍ୟପାଳ ରବି କଥା ହୋଇଥିଲେ। ଏହାପରେ ସେ ନିଜ ଆଦେଶ ଉପରେ ରୋକ ଲଗାଇଥିବା କଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ବିଧିବଦ୍ଧ ଭାବେ ଜଣାଇଛନ୍ତି। ଗୁରୁବାର ସନ୍ଧ୍ୟାରୁ ରାତି ଭିତରେ ରାଜ୍ୟପାଳଙ୍କ ଏପରି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ରାଜନୀତିକ ଇତିହାସରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ବିନା ରାଜ୍ୟପାଳ ନିଜ ତରଫରୁ ଜଣେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଘଟଣା ପ୍ରଥମଥର ପାଇଁ ଗୁରୁବାର ତାମିଲନାଡୁରେ ଘଟିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜଭବନ ପକ୍ଷରୁ ବିଳମ୍ବିତ ରାତିରେ ସିଏମଓକୁ ଫୋନ କରି ବହିଷ୍କାର ଆଦେଶ ଉପରେ ରୋକ ଲଗାଯାଇଥିବା କଥା ଜଣାଇ ଦିଆଯାଇଛି।