ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟିର କାରଣ କହିଲେ ରାହୁଲ ଗାନ୍ଧି

ରୋଜଗାର ଦେଲନି ସେଥିପାଇଁ ପାର୍ଲାମେଣ୍ଟରେ ପଶିଲେ ଯୁବକ: ରାହୁଲ ଗାନ୍ଧି

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ ଉପଦ୍ରବ ପଛର ପ୍ରକୃତ କାରଣ ବୋଲି ସେ କହିଛନ୍ତି। ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ମାମଲାରେ କଂଗ୍ରେସ ଏମ୍‌ପି ରାହୁଲ କହିଛନ୍ତି, ଏଭଳି କ’ଣ ପାଇଁ ହୋଇଛି? ଦେଶର ମୁଖ୍ୟ ପ୍ରସଙ୍ଗ ବେରୋଜଗାରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଯୋଗୁ ଦେଶର ଯୁବକମାନଙ୍କୁ ରୋଜଗାର ମିଳୁନାହିଁ। ଏହାପଛର କାରଣ ବେରୋଜଗାରୀ ଏବଂ ମହଙ୍ଗା ମାଡ଼ ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ। ଆମେ ଗୃହରେ ବାରମ୍ବାର କହୁଛୁ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ବୟାନ ଦିଅନ୍ତୁ। ହେଲେ ସେ ଆସିବାକୁ ଚାହୁଁନାହାନ୍ତି। ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି।