ଗୃହରୁ ନିଲମ୍ବିତ ହେଲେ ୧୫ ସାଂସଦ

ସଂସଦରେ ହଟ୍ଟଗୋଳ, ୧୫ ସାଂସଦ ନିଲମ୍ବିତ

ସଂସଦ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ହୋ ହଲ୍ଲା । ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳରେ ବାରମ୍ବାର ମୁଲତବୀ ହେଲା ଗୃହ । ହଟ୍ଟଗୋଳ ପାଇଁ ୧୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଙ୍ଗାମା କରିଥିଲେ ବିରୋଧୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଥିଲେ । ଏହି ସମୟରେ ଲୋକ ସଭା ବାଚସ୍ପତି ହଟ୍ଟଗୋଳ ସୃଷ୍ଟି ଅଭିଯୋଗରେ ଶୀତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ସଦସ୍ୟ ଟି ଏନ ପ୍ରତାପନ, ହିବି ଇଡେନ, ଜୋତିମଣି, ରମ୍ୟା ହରିଦାସ ଏବଂ ଡିନ କୁରିଆକୋସେଙ୍କୁ ନିଲମ୍ବିତ କରିଛନ୍ତି। ଏହା ପରେ ମଧ୍ୟ ଉତ୍ତେଜନା ବନ୍ଦ ହୋଇ ନ ଥିଲା ଏବଂ ଶୀତ ଅଧିବେଶନରୁ ଆଉ ୯ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ ବେନି ବେହନନ, ମହମ୍ମଦ ଜାଭେଦ, ପି ଆର୍‌ ନଟରାଜନ, କାନିମୋଝି, ଭି.କେ ଶ୍ରୀକନ୍ଦନ, କେ ସୁବ୍ରମଣ୍ୟମ, ଏସ.ଆର୍‌ ପାର୍ଟିବନ, ଏସ ଭେଙ୍କଟେଶନ ଏବଂ ମାଣିକମ ଟାଗୋର ସାମିଲ ଅଛନ୍ତି। ସେହିପରି ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ଟିଏମସି ସାଂସଦ ଡେରେକ ଓ’ବ୍ରାୟନ । ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାୟନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସଦନ କାର୍ୟ୍ୟରେ ବାଧା ଦେଉଥିବା ଅଭିଯୋଗରେ ପୂରା ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି ।