ରାଜସ୍ଥାନ ବିଜେପିକୁ ବସୁନ୍ଧରା ଅଡୁଆ!
ସରୁନି ରାଜସ୍ଥାନ ସିଏମ ସସପେନ୍ସ । ବିଜେପିକୁ ଅଡୁଆ ସାଜିଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡୁନି ଅଙ୍କ । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବସୁନ୍ଧରା ଅନୁରୋଧ କରି ଗୋଟେ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି । ସେପଟେ ବିଧାୟକଙ୍କ ସହ ଘନଘନ ବୈଠକ କରୁଥିବାରୁ ବସୁନ୍ଧରାଙ୍କ ଉପରେ ବିଜେପି ଅସନ୍ତୁଷ୍ଟ ଥିବା ଖବର ମଧ୍ୟ ଉଠୁଛି । ଦଳ ଉପରେ ଚାପ ପକାଉଛନ୍ତି ବସୁନ୍ଧରା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗୋଟେ ବର୍ଷ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଛନ୍ତି । ରବିବାର ନିଜ ବାସଭବନରେ ବିଧାୟକଙ୍କ ସହ ବୈଠକ କରି ଦଳକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ବିଧାୟକ ଦଳ ବୈଠକ ପୂର୍ବରୁ ବାସଭବନରେ ବିଧାୟକଙ୍କ ମେଳି ବସୁନ୍ଧରାଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛି । ରାଜନୀତି ବିଶେଷଜ୍ଞଙ୍କ ମତରେ ବସୁନ୍ଧରାଙ୍କ ଏଭଳି ଆଭିମୁଖ୍ୟ ବିଜେପି ହାଇକମାଣ୍ଡଙ୍କୁ ଅସନ୍ତୁଷ୍ଟ କରିଛି । ଯଦି ଆବଶ୍ୟକ ପଡେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରେ ଦଳ । ମୁଖ୍ୟମନ୍ତ୍ରୀ ରେସରେ ଜଣଙ୍କ ପରେ ଜଣଙ୍କ ନାଁ ଯୋଡା ହେଉଛି । ସେପଟେ କିଛି ଚେହେରା ମଧ୍ୟ ବାଦ ପଡୁଛନ୍ତି । କିନ୍ତୁ ବସୁନ୍ଧରା ନିଜ ଜିଦରେ ଅଟଳ ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦ ବ୍ୟତିତ ଅନ୍ୟ କୌଣସି ଦାୟିତ୍ୱ ନେବେନି ବୋଲି ସଂକେତ ମଧ୍ୟ ଦେଇ ସାରିଛନ୍ତି । ଶୁଣିବାକୁ ମିଳୁଛି ଜେପି ନଡ୍ଡା ବସୁନ୍ଧରାଙ୍କୁ ଡାକି ବିଧାୟକ ମାନଙ୍କ ସହ ବୈଠକ ନକରିବାକୁ କହିଛନ୍ତି । ଏବଂ ବାଚସ୍ପତି ହେବ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବସୁନ୍ଧରା ବାଚସ୍ପତି ପଦ ପାଇଁ ମନା କରିଦେଇଥିବା ସୂଚନା ମିଳିଛି ।