ଲୋକସଭାରୁ ବହିଷ୍କୃତ ହେଲେ ମହୁଆ ମୈତ୍ର

ମହୁଆଙ୍କ ସାଂସଦ ପଦ ରଦ୍ଦ

ଲୋକସଭାରୁ ବହିଷ୍କୃତ ହେଲେ ମହୁଆ ମୈତ୍ର । ରଦ୍ଦ ହେଲା ସାଂସଦ ପଦ । ଟଙ୍କା ନେଇ ପ୍ରଶ୍ନ ପଚାଇରିବା ମାମଲାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ଏଥିକ୍ସ କମିଟି ରିପୋର୍ଟ ଆଧାରରେ କରାଗଲା ବହିଷ୍କୃତ । ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ ଗମ୍ଭୀର ଦର୍ଶାଇଥିଲା ଏଥିକ୍ସ କମିଟି । କାର୍ଯ୍ୟାନୁଷ୍ଠାନ ନେବାକୁ କରିଥିଲା ସୁପାରିଶ । ପାର୍ଲାମେଣ୍ଟ ଏଥିକ୍ସ କମିଟି ଉପସ୍ଥାପନା କରିଥିବା ୫ଶହ ପୃଷ୍ଠାର ରିପୋର୍ଟରେ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଗୃଣା, ଅପରାଧିକ ଦର୍ଶାଇବା ସହ ଆର୍ଥିକ କାରବାରର ତଦନ୍ତ କରିବାକୁ କହିଛି କମିଟି । ଏଥିକ୍ସ କମିଟିର ସୁପାରିଶକୁ ଲୋକସଭାରେ ମଞ୍ଜୁରୀ ମିଳିବା ସହ ମହୁଆଙ୍କ ଆଚରଣକୁ ଅନୈତିକ କହିଛନ୍ତି ଲୋକସଭା ବାଚସ୍ପରି ଓମ୍ ବିର୍ଲା । ବହିଷ୍କୃତ ଆଦେଶ ପରେ ଗର୍ଜିଛନ୍ତି ମହୁଆ ମୈତ୍ର । ବିରୋଧୀଙ୍କ ସହ କକ୍ଷତ୍ୟାଗ ପରେ ସଂସଦ ବାହାରେ ବର୍ଷିଛନ୍ତି । ସେ କହିଛନ୍ତି, ସବୁ ନିୟମ ଉଲ୍ଲଂଘନ ହୋଇଛି । ମୋ ବିରୋଧରେ କୌଣସି ପ୍ରମାଣ ନାହିଁ । ମୋ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ ହେବାର କାରଣ ହେଉଛି ଲଗଇନ ଆଇଡି ସେୟାର କରିବା, କିନ୍ତୁ ଏ ସମ୍ପର୍କରେ କୌଣସି ନିୟମ ନାହିଁ ବୋଲି କହିଛନ୍ତି ମହୁଛନ୍ତି । ଏବଂ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ମୋତେ ଚୁପ କରାଇ ଆଦାନୀ ଗ୍ରୁପ ମାମଲାକୁ ଥମାଇ ଦେବେ ବୋଲି ଭାବିଛନ୍ତି, ଏହା କେବେ ହେବ ନାହିଁ । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି, ଗଣତନ୍ତ୍ରର ହତ୍ୟା ହୋଇଛି । ଅନ୍ୟାୟ ହୋଇଛି, ମହୁଆ ଜିତିବେ । ଆଗାମୀ ନିର୍ବାଚନରେ ବିଜେପି ନିଶ୍ଚୟ ହାରିବ । ସାଂସଦ ମହୁଆଙ୍କୁ ମହଙ୍ଗା ପଡିଛି ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଘଟଣା । ରଦ୍ଦ ହୋଇଛି ସାଂସଦ ପଦ ।